ଶ୍ରମିକର ସ୍ବପ୍ନ


ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଇଚ୍ଛା ହେଉଥିଲା
ଚାହିଁବି ଆକାଶ ଆଡ଼େ,
ଆଖି ଫିଟିଲାନି ।୧।

ପ୍ରତିଦିନ ବଢ଼ିଚାଲୁଥିବା ବୟସର
ଗହନ ଅରଣ୍ୟରେ
ଲୁଚିରହିଥିବା
ଆଦ୍ୟ ଯୌବନର ସ୍ବପ୍ନ ପରି
ଫମ୍ପାବାଦଲରେ
ନିଭି, ଫୁଟି,
ନିଭି ନିଭି
ପୁନଶ୍ଚ ଫୁଟିଥିବା ଜହ୍ନରୁ
ଛିଟିକି ଆସୁଥିଲା ଜ୍ୟୋତ୍ସ୍ନା ।
ଇଚ୍ଛା ହେଉଥିଲା
ତା ଆଡ଼େ ଚାହିଁବି ।
ଆଖି ଫିଟିଲାନି ।୨ ।

ମୁକ୍ତ ବଜାରର
ଖାଉଟି ମୂଲ୍ୟସୂଚୀ ପରି
ନିଷ୍ଠୁର କ୍ଳାନ୍ତି
ଜମାଟ ବାନ୍ଧିଥିଲା ପକ୍ଷ୍ମରେ ।
ଯେତେ ଇଚ୍ଛାକଲେ ବି
ତାକୁ ହଟାଇ ହେଲାନି ।
ଆଖି ଫିଟିଲାନି ।୩।

ମରୁଡ଼ିକ୍ଳୀଷ୍ଟ ମାଟିର ତାତି
ଏବଂ
ଅନାହାର ନିପୀଡ଼ିତ
ମଣିଷର ହାହାକାର
ବିଧାନସଭାର ପଛଧାଡ଼ିଆ ସଭ୍ୟଙ୍କ
ନିର୍ବୋଧ, ନିରସ ଚିତ୍କାର ପରି
ପ୍ରସରିଯାଇ
ଆକାଶରେ ଭିଆଇଥିଲା
ପୁଳାଏ ଫମ୍ପା ବାଦଲ;
ଏବଂ
ତା’ର ଆଶ୍ଳେଷରେ
ଚନ୍ଦ୍ରସେଣାର ରାଧା ପରି
ଅତୃପ୍ତ ଉତ୍ତେଜନାରେ
ଅସ୍ଥିର ଜ୍ୟୋତ୍ସ୍ନା
ଲୁଚି ଛପି
ଚହଟି ଆସୁଥିଲା
ତଳକୁ ତଳକୁ ।୪।

ଇଚ୍ଛା ହେଉଥିଲା
ପଡ଼ିଆ ଉପରକୁ
ଧାଇଁଯିବି ।
ବର୍ଷା ହୋଇଥିଲେ
ଯେଉଁଠି
ଫସଲ ଥାଆନ୍ତା,
ସେଇଠିକୁ ।
ଏବଂ
ତତଲାମାଟିରେ ପିଠି ଚାପି
ଫୁଙ୍ଗୁଳା ଛାତି
ଦେଖାଇଦେବି ଉପରକୁ ।
ଜ୍ୟୋତ୍ସ୍ନା ସେଠି ଝରିବ ।
ପ୍ରକୃତିର ପ୍ରତାରଣାକୁ
ବେଖାତିର କରି
ସ୍ବପ୍ନ ପ୍ରସରିବ ।
କିନ୍ତୁ ହେଲାନି;
ଯେତେ ଇଚ୍ଛାକଲେ ବି
ଆଖି ଫିଟିଲାନି ।୫।

ଯେତେବେଳେ ଆଖି ଫିଟିଲା
ରାତି ନଥିଲା ।
ନଥିଲା ଜହ୍ନ ,
ଜ୍ୟୋତ୍ସ୍ନା ବି ନଥିଲା ।୬।

ଏଥର ଦିନ ହେବ ।
ଶ୍ରମ ବିକି ଚଳିବାକୁ ହେବ ;
ଶୋଷଣ ପାଖରେ ନୋଇଁବାକୁ ହେବ ମଥା ;
ଶୋଷଣକାରୀର ମୁଷ୍ଟିକ ଓ ଚାଣୁରମାନଙ୍କୁ
ମାନିବାକୁ ହେବ
ନେତା ଭାବେ,
ନିୟନ୍ତା ଭାବେ,
ନିର୍ଭାବେ ।୭।

ଏଵେ ଦିନ ହେବ।
ପ୍ରତିଟି ନିମିଷ ଝାଉଁଳିଯିବ
ଜଞ୍ଜାଳରେ ।
ଅନୁକ୍ତ ଅହମିକାରେ
ଅତୃପ୍ତ ବିଜିଗୀଷାରେ
ନିଜକୁ ନିଜେ ହଜାଇହେବ
ପରାଜୟର ଦାବାନଳରେ । ୮ ।

ଏବେ ଆଉ ସ୍ବପ୍ନ ପାଇଁ ସମୟ କାହିଁ?
କାହିଁ? । ୯ ।

ସ୍ବପ୍ନ କିନ୍ତୁ ସରିବନି ।
ସ୍ବପ୍ନ କେବେ ସରିପାରିବନି ।୧୦ ।

କେମିତି ସରିବ ସ୍ବପ୍ନ?
ସେ ଯେ ମୋର ଇସ୍ତାହାର
ଜୀବନର ଅଭିବ୍ୟକ୍ତନାର !
କେମିତି ସରିବ ସ୍ବପ୍ନ?
ସେ ଯେ ମୋର ଇସ୍ତାହାର
ଶେଷହୀନ ଅଜେୟ ସତ୍ତାର !୧୧।

ମୁଁ ତେଣୁ ଫେରିବି ଶୀଘ୍ର
ମୁକ୍ତ ବଜାରର ଦୁର୍ଗ
ଚୁରି ଚୁରି ଦୃପ୍ତ ପଦାଘାତେ
ଶେଷ କରି ଶ୍ରମର ଶୋଷଣ,
ଶେଷ କରି ନିଷ୍ଠୁର ଜଞ୍ଜାଳ,
ମୁଁ ନିଶ୍ଚେ ଫେରିବି ଶୀଘ୍ର
ଧ୍ବଂସ କରି
ପୁଞ୍ଜିବାଦୀ ସୈତାନର ଯେତେ ମାୟାଜାଲ । ୧୨ ।

ଭେଦଭାବ ଭରା ଦିନ
ସରିଯିବ,
ଆକାଶରୁ ଝରିବ ଜୋଛନା,
ସମୟର ସାନ୍ଦ୍ରତା
ଥିବ ଥିର;
ଥିର ଥିବ ଚଞ୍ଚଳ ଚେତନା । ୧୩ ।

ତା ପରେ ଆସିବ ସ୍ବପ୍ନ,
ମନ ଭରି ସ୍ବପ୍ନ ମୁଁ ଦେଖିବି ;
ବିଶ୍ବ ସହ ମିଶିଯିବି,
ତଥାପି ମୁଁ ମୋର ହୋଇ ଥିବି । ୧୪ ।

ତମେ ମୋର ହୋଇଯିବ,
ମୁଁ ହେବି ତମର ;
ଆମ ସହ ସାରା ବିଶ୍ବ ହେବ ଏକାକାର ;
ଶର୍ବରୀ ଶେଷରେ ଯେବେ
ନୂଆ ସୂର୍ଯ୍ୟ ଉଦେହେବ
ଦେଖିବ ସେ ଆମ ବିଶ୍ବେ
କେହି କା’ର ପର ନୁହେଁ
ସବୁ ଆପଣାର ।
ସ୍ବପ୍ନ ଏ ମୋ ଅଜେୟ ସତ୍ତାର,
ସ୍ବପ୍ନ ଏ ମୋ ଅଜେୟ ସତ୍ତାର । ୧୫ ।

 

ଦିଲ୍ଲୀପ ରାୟ ନିର୍ବାଚନ ଜିତିବା ଧାର୍ଯ୍ୟ କି? ଦିଲ୍ଲୀ ହାଇକୋର୍ଟ ରାୟ ଜନଗଣଙ୍କୁ କି ନ୍ୟାୟ ଦେଇଛି?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଟଳ ବିହାରୀ ବାଜପାୟୀଙ୍କ ଶାସନ କାଳରେ ଭାରତର ରାଜନୀତିକ ଅଭୟାରଣ୍ୟରେ ଭୟାନକ ଦୁର୍ନୀତିର ଯେତେ ଦୈତ୍ୟ ମୁଖବ୍ୟାଦାନ କରି ଆମ ଗଣତାନ୍ତ୍ରିକ ସ୍ବାର୍ଥକୁ ଗିଳି ପକାଇଥିଲେ ତହିଁରୁ ଗୋଟିକର ବିଭୀଷିକା ୧୯୯୯ରେ ଅନୁଭୂତ ହୋଇଥିଲା କୋଇଲା ଆବଣ୍ଟନ କ୍ଷେତ୍ରରେ । ବିଭାଗୀୟ ମନ୍ତ୍ରୀଥିଲେ ଦିଲ୍ଲୀପ ରାୟ ।

କେନ୍ଦ୍ର ଦୁର୍ନୀତି ନିବାରଣ ବିଭାଗ ଅଧିକନ୍ତୁ କେନ୍ଦ୍ର ତଦନ୍ତ ବ୍ଯୁରୋ ଏହି ଦୁର୍ନୀତିରେ ଦିଲ୍ଲୀପ ରାୟ ଜଡ଼ିତ ଥିବା ପ୍ରମାଣ ପାଇ ଯେଉଁ ମକଦ୍ଦମା କରିଥିଲା ତାହା ନିରୂପଣରେ ପହଞ୍ଚିବାକୁ ଲାଗିଥିଲା ପ୍ରାୟ ୨୦ ବର୍ଷ । ଦିଲ୍ଲୀପଙ୍କୁ ଦୋଷୀ ବୋଲି ନିର୍ଣ୍ଣୟ ଦେଇ ସମ୍ପୃକ୍ତ ଅଦାଲତ ତାଙ୍କୁ ତିନିବର୍ଷ କାରାଦଣ୍ଡ ଆଦେଶ ଦେଇଥିଲେ ୦୬.୧୦.୨୦୨୦ ତାରିଖରେ । ଶ୍ରୀ ରାୟ ଏହି ଦଣ୍ଡାଦେଶ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରି ଚଳିତ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଥିବାରୁ ଦଣ୍ଡାଦେଶ ସ୍ଥଗିତ କରାନଗଲେ ତାଙ୍କର ଅପୂରଣୀୟ କ୍ଷତି ହେବ ବୋଲି ଯୁକ୍ତି ବାଢିଥିଲେ । ଗତ ଆଠ ତାରିଖରେ ଏହି ଯୁକ୍ତି ଯଥାର୍ଥ ବୋଲି କହି ଦିଲ୍ଲୀ ହାଇକୋର୍ଟ ଦଣ୍ଡାଦେଶକୁ ଅପିଲ ଫଇସଲା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି (“In view thereof, it is directed that the conviction of the present applicant, recorded in judgment dated 06.10.2020, shall stand stayed during the pendency of present appeal.”) ।

ଅପିଲର ସାମର୍ଥ୍ୟ ଉପରେ ଅଦାଲତ କିଛି କହିନାହାନ୍ତି । କହିଛନ୍ତି, ଅପିଲ ଉପରେ ନିର୍ଣ୍ଣୟ ଆସିବାକୁ ବହୁଦିନ ଲାଗିଯିବ । (“multiple appeals and cross-appeals have been filed in this case which will take time to be heard and are not likely to be heard and decided in the nearest future”) ।  ସେ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଅଧିକାରରୁ ରାୟଙ୍କୁ ବଞ୍ଚିତ କରାଯିବ କାହିଁକି? ଅଦାଲତଙ୍କ ଭାଷାରେ , କାରାଦଣ୍ଡ ଏଡେଇବା ପାଇଁ  ଶ୍ରୀ ରାୟ ନିର୍ବାଚନ ଲଢିବାକୁ ଏକ  ଆଳ କରିଛନ୍ତି ବୋଲି କୁହାଯାଇପାରିବନି ; କାରଣ ସେ ତ ପ୍ରଥମଥର ପାଇଁ ନିର୍ବାଚନ ଲଢିବାକୁ ଚାହୁଁ ନାହାନ୍ତି । ସେ ଗତ ୩୫ ବର୍ଷ ଧରି ରାଜନୀତିରେ ଅଛନ୍ତି ଓ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ତାଙ୍କ ନିର୍ବାଚନ ମଣ୍ଡଳୀ ଓ ଦେଶର ସେବା କରିବାକୁ ଇଚ୍ଛା କରୁଛନ୍ତି । (“He is 71 years of age and wishes to contest elections to be held in the month of May, 2024 and serve his constituency and the country. It is not as if he has expressed his desire to do so only for the purpose of suspension of his conviction by contesting the election for the first time. He has a political career running into more than 35 years.”) ଅଥଚ ଦଣ୍ଡାଦେଶ ସ୍ଥଗିତ ନରଖିଲେ ସେ ନିର୍ବାଚନ ଲଢିପାରିବେନାହିଁ । ଏହା ତାଙ୍କ ପାଇଁ ଅପରିବର୍ତ୍ତନୀୟ କ୍ଷତି ଘଟାଇବ ବୋଲି ମତ ଦେଇ ଦଣ୍ଡାଦେଶକୁ ସ୍ଥଗିତ ରଖିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।  କୋର୍ଟଙ୍କ ଭାଷାରେ “the
conviction of the present applicant if not suspended would lead to an
irreversible consequence.”

ଏହି ପରିପ୍ରେକ୍ଷୀରେ ତିନୋଟି ଗଣତାନ୍ତ୍ରିକ ପ୍ରାସଙ୍ଗିକତାସମ୍ପନ୍ନ ପ୍ରଶ୍ନ ଉଙ୍କି ମାରୁଛି । ସେଗୁଡ଼ିକ ହେଲା – (୧) ଶ୍ରୀ ରାୟ ନିର୍ବାଚନ ଲଢି ନପାରିଲେ ଜନ ସାଧାରଣଙ୍କର କିଛି କ୍ଷତି ହେବାର ଅଛି କି?  (୨) ନିର୍ବାଚନ ଲଢିଲେ ଶ୍ରୀ ରାୟ ନିଶ୍ଚୟ ଜୟ ଲାଭ କରିବେ ବୋଲି ଅଦାଲତ ସୁନିଶ୍ଚିତ କି? (୩) ନିର୍ବାଚନ ଲଢିଲେ ବିଜୟ ଲାଭ ଯଦି ସୁନିଶ୍ଚିତ ନୁହେଁ, ତେବେ ନିର୍ବାଚନ ଲଢି ନପାରିବାଟା ଶ୍ରୀ ରାୟଙ୍କର ଅପୂରଣୀୟ କ୍ଷତି କିପରି ବା ଘଟାଇବ ?   

କୋଇଲା ଆବଣ୍ଟନରେ ସଂଘଟିତ ଦୁର୍ନୀତି ଭାରତୀୟ ଜାତି ବିରୁଦ୍ଧରେ ଘଟିଥିବା ଏକ ଅପରାଧ । ୧୯୯୯ରେ ସଂଘଟିତ ଏହି ଅପରାଧ ବିଚାରାଳୟରେ ପଡ଼ି ପଡ଼ି ୨୦ ବର୍ଷ ବିତିଗଲା । ୦୬.୧୦.୨୦୨୦ ରେ ଘୋଷିତ ହେଲା ଦଣ୍ଡାଦେଶ । ଏବଂ ତାହା ସ୍ଥଗିତ ହୋଇଗଲା । ନିର୍ବାଚନ ସରିବା ପର୍ଯ୍ୟନ୍ତ ତାହା ସ୍ଥଗିତ ରହିବନି , ସ୍ଥଗିତ ରହିବ ଅପିଲ ଫଇସଲା ହେବା ପର୍ଯ୍ୟନ୍ତ । ଅଦାଲତଙ୍କ ନିଜ ଭାଷାରେ , ଅପିଲ ଫଇସଲା ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ  । ତେଣୁ ଜାତି ବିରୁଦ୍ଧରେ ଦୁର୍ନୀତି ଅପରାଧ ପାଇଁ ଅପରାଧ ଘଟିବାର ୨୦ ବର୍ଷ ପରେ   ବିଜେପି ଦଳର ତଦାନୀନ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସହକର୍ମୀ ଦିଲ୍ଲୀପ ରାୟ ଯେଉଁ ଦଣ୍ଡ ପାଇଥିଲେ, ସୁଦୂର ଭବିଷ୍ୟତ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେବ ନାହିଁ । 

ଆମ ସମ୍ବିଧାନରେ ବ୍ୟକ୍ତିବିଶେଷର ମୌଳିକ ଅଧିକାର ଅଲଙ୍ଘ୍ୟ ହୋଇଥିବା ବେଳେ ବ୍ୟକ୍ତିସମୁଦାୟର କୌଣସି ମୌଳିକ ଅଧିକାର ନାହିଁ । ସୁତରାଂ, ଦିଲ୍ଲୀପ ରାୟ ନିର୍ବାଚନ ଲଢିନପାରିବା ତାଙ୍କର ଅପରିବର୍ତ୍ତନୀୟ କ୍ଷତି ଘଟାଇବ ବୋଲି କହି ସେ ପ୍ରତିଦ୍ୱନ୍ଦିତା କରିବା ନିଷ୍କଣ୍ଟକ କରିବାକୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ବିରୁଦ୍ଧରେ ଘୋଷିତ ଦଣ୍ଡାଦେଶକୁ ସ୍ଥଗିତ କରିଦେବା ସମ୍ଭବ ହୋଇଛି, ଯଦିଓ ଏହା ଏହି କ୍ଷେତ୍ରରେ ଜନସମାଜ ବିରୁଦ୍ଧରେ ଅପରାଧ କରିଥିବା ବ୍ୟକ୍ତିକୁ ସୁରକ୍ଷା ଦେଉଛି । 

ପ୍ରକୃତରେ ଏତଦ୍ଦ୍ବାରା ଜନସମୁଦାୟଙ୍କୁ କି ନ୍ୟାୟ ମିଳିଲା? ଆମ ନ୍ୟାୟ ବ୍ୟବସ୍ଥା ଆତ୍ମସମୀକ୍ଷା କରିବା ଆବଶ୍ୟକ ।  

ରଣେନ୍ଦ୍ର ସ୍ଵାଇଁ ନବୀନଙ୍କୁ ତେଲ ମାରିବାରେ ବ୍ୟସ୍ତ , ପ୍ରଥମରୁ ସବ୍-ଡିଭିଜନ୍ ଥିବା ତିଗିରିଆ ଏନ୍. ଏ. ସି. ହେବାରୁ ବଞ୍ଚିତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ରାଜାମାନେ ସିଂହାସନ ତ୍ୟାଗ କଲା ପରେ ନରସିଂପୁର, ବଡ଼ମ୍ବା , ତିଗିରିଆ ଓ ଆଠଗଡ଼ ଗଡ଼ଜାତଗୁଡ଼ିକୁ ନେଇ ନରସିଂହପୁର ଜିଲ୍ଲା ଗଠନ କରଯାଇଥିଲା (The Orissa Gazette Extraordinary, the  1st January 1948, No. 24A) ଓ ସେହି ରାଜପତ୍ରର ପୃଷ୍ଠା ୧୭ ରେ ଅଧିସୂଚନା ସଂଖ୍ୟା ୨୯ କ ଅନୁସାରେ ଏହି ଚାରି ଗଡ଼ଜାତରୁ ପ୍ରତ୍ଯେକ ଗଡ଼ଜାତ ନରସିଂହପୁର ଜିଲ୍ଲାର ଏକ ଏକ ଉପଖଣ୍ଡ (Sub-Division) ହୋଇଥିଲେ । 

ଯାହା ଜଣାପଡୁଛି ରାଧାନାଥ ରଥ ଓ ହରେକୃଷ୍ଣ ମହତାବଙ୍କ ଦୋନମ୍ବରୀ ଚରିତ୍ର ହେତୁ ଏହି ବ୍ୟବସ୍ଥା କେବେଳ ସେହି ରାଜପତ୍ରରେ ସୀମିତ ରହିଗଲା ଓ ନରସିଂହପୁର ଜିଲ୍ଲା କଟକ ଜିଲ୍ଲାରେ ଏକ ଉପଖଣ୍ଡ ଭାବେ ଅତ୍ୟନ୍ତ ଅବୈଧ ଭାବେ ପରିଗଣିତ ହୋଇଥିବା ବେଳେ ଉପରୋକ୍ତ ଗଡ଼ଜାତଗୁଡ଼ିକ ଉପଖଣ୍ଡ ହେବା ପରିବର୍ତ୍ତେ ତହସିଲରେ ପରିଣତ ହେଲେ । 

ଗତକାଲି ନରସିଂହପୁର ଓ ବଡ଼ମ୍ବା ତହସିଲଦ୍ଵୟର ଅଧିଷ୍ଠାନ ସ୍ଥଳୀ  ବିଜ୍ଞପିତ ଅଞ୍ଚଳ ପରିଷଦ ଭାବେ ଘୋଷିତ ହୋଇଥିବା ବେଳେ ତିଗିରିଆ ଉପେକ୍ଷିତ ହୋଇଛି । କଟିକିଆ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଧାନସଭାରେ ତିଗିରିଆର ପ୍ରତିନିଧିତ୍ଵ କରୁଥିବା ଫଳରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନିତ ହୋଇଛନ୍ତି । ସେ ତିଗିରିଆର ଏହି ଉନ୍ନୟନ-ସ୍ଵାର୍ଥହାନୀର କୌଣସି ପ୍ରତିବାଦ କରିନାହାନ୍ତି । 

ମୋର ତାଙ୍କୁ ଅନୁରୋଧ, ନବୀନଙ୍କୁ ତେଲମାଲିସ କରିବା ଛାଡ଼ି ସେ ତିଗିରିଆ ପାଇଁ ଏନ୍. ଏ. ସି . (ବିଜ୍ଞପିତ ଅଞ୍ଚଳ ପରିଷଦ) ତୁରନ୍ତ ଦାବିକରନ୍ତୁ । ଏ ସମ୍ପର୍କରେ ଆଜି ଫେସବୁକ ସିଧା ପ୍ରସାରଣରେ ମୁଁ ଯେଉଁ ବୟାନ ଦେଇଛି ସେ ତାହା ଅନୁଧ୍ୟାନ କରିପାରନ୍ତି ।     

ସବିତା ପାଇଁ କବିତାଟିଏ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏକଚାଳିଶିବର୍ଷ ତଳେ ମୁଁ ଜେଲରେ ଥିଲି ।

ଛାତ୍ରାବସ୍ଥାରେ ମୋତେ ଭଲପାଉଥିବା ଝିଅଟିଏ ମୁଁ ଜେଲ ଯାଇଥିବା ଖବର କୌଣସି ସମ୍ବାଦପତ୍ରରୁ ଜାଣି ମୋ ଉପରେ ରାଗିରୁଗି ମୋତେ ଗୋଟେ ଚିଠି ଲେଖିଥିଲା, ଯହିଁରେ କୈଫିୟତ ତଲବ କରିଥିଲା ଜାଣିବାକୁ ଯେ, ଶ୍ରମିକମାନଙ୍କୁ ପରାମର୍ଶ ଦେବା ସିନା ଚଳିବ , ସେମାନଙ୍କ ପାଇଁ ଜେଲ ଯିବା କାମ ମୁଁ କାହିଁକି କରୁଛି !

“ତମ ସାଙ୍ଗଙ୍କ ଚିଠି” ବୋଲି ଲଫାପା ଉପରେ ଲେଖି ସବିତାରାଣୀ ତାହାକୁ ଜଣେ କମ୍ରେଡଙ୍କ ହାତରେ ମୋ ପାଖକୁ ପଠାଇଥିଲେ ଓ ଜେଲରଙ୍କ ମାଧ୍ୟମରେ ମୁଁ ତାହା ପାଇଥିଲି । ତହିଁ ସହ ସଲଗ୍ନ ସବିତାରାଣୀଙ୍କ ଚିଠିରେ ଥିଲା ନାନା ମାନ ଅଭିମାନ, ସଂସାର ଜଞ୍ଜାଳର ଦଂଶନ ଦୃଶ୍ୟମାନ ।  

ଏବେ ମନେ ପଡୁଛି, ସେହି ଦିନର ଦିନଲିପିରୁ ପୃଷ୍ଠାଏ ଚିରି ସବିତାରାଣୀଙ୍କ ପାଖକୁ ଉତ୍ତରଟିଏ ପଠାଇଥିଲି । ତାହା ତାଙ୍କ ସାଇତା ଚିଠିପୁଡ଼ାରୁ ମିଳିଗଲା । ତାରିଖ ଥିଲା ୧୯୮୩ ମାର୍ଚ ୧୦ (୧୯ ଫାଲ୍ଗୁନ ୧୯୦୪,ଗୁରୁବାର )।

ମୁଁ ଲେଖିଥିଲି –

ସବିତା ପାଇଁ କବିତାଟିଏ

ଆକାଶରେ ଉଡ଼ିବାନି , ଉଡ଼ିବାନି କଳ୍ପନାର ଝଡ଼େ ଓ ବତାସେ ;
ଭାବନାରେ ବୁଡ଼ିବାନି , ବୁଡ଼ିବାନି ଅଭିମାନ ଅଥଳ ସାଗରେ ;
ଦୁଃଖରେ ସଢିବାନି , ସଢିବାନି ବୁକୁତଳ ତତଲା ନିଶ୍ଵାସେ ;
ମନ କେବେ ମାରିବାନି, ମାରିବାନି ସରାଗରେ କେବେ ବିରାଗରେ ।

ପୃଥିବୀର ବନ୍ଧୁର ବକ୍ଷରେ ଠିଆ ହେବା ସାହସେ ,
ଉଠିବା , ପଡ଼ିବା, ପୁଣି ଉଠିବା ବି, ଉଠିବା ଗୋ ସହାସେ ,
ହସି ହସି ଟପିଯିବା ଯେତେ ବାଧାବନ୍ଧନ ଆସିବ ,
ଚାଲିବା ଗୋ, ଚାଲୁଥିବା , ଭଲପାଇ କରୁଥିବା ଗରବ ।  

 

ଅବୈଧ ନବୀନଓଡିଶାର ଅବୈଧ ମନ୍ତ୍ରୀ ପାଣ୍ଡିଆନ : ବିପତ୍ତିରେ ଓଡ଼ିଶା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପୂର୍ବତନ ମନ୍ତ୍ରୀ ଓ ବିଜେଡ଼ିର ତୁଙ୍ଗ ନେତା ଦେବୀ ପ୍ରସାଦ ମିଶ୍ର ଦୁଇଦିନ ତଳେ ଯାହାଙ୍କୁ “ମୁଖ୍ୟମନ୍ତ୍ରୀ” ବୋଲି ନିଜ ନିର୍ବାଚନମଣ୍ଡଳୀରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନମାନସରୁ ପୋଛିଦେବାକୁ ଚେଷ୍ଟା କରିଥିଲେ ସେହି ପଣ୍ଡିଆନ ଏବେ ସେହି ନବୀନ ପଟ୍ଟନାୟକଙ୍କ ଦ୍ଵାରା କ୍ୟାବିନେଟ ମନ୍ତ୍ରୀର ସମତୁଲ ହୋଇଛନ୍ତି ! ଦେବୀ ମିଶ୍ରଙ୍କ ମତଲବ ଅବଶ୍ୟ ଉହ୍ୟ ହୋଇ ରହିଗଲା, କିନ୍ତୁ ଓଡ଼ିଶାରେ ଅରାଜକତାର ବାଇଢଙ୍କ ଲତା ଯେ ନୂଆ ଫଳ କାଖେଇଲାଣି, ଏହା ସ୍ପଷ୍ଟ ଦେଖିହେଉଛି । 

ପାଣ୍ଡିଆନ ପେଷାରେ ଥିଲେ ଓଡ଼ିଶାର ଜଣେ ସରକାରୀ କର୍ମଚାରୀ ଓ ସେଥିପାଇଁ ସେ ଓଡ଼ିଶା ରାଜକୋଷରୁ ମାସିକ ଦରମା ଓ ମହଙ୍ଗାଭତ୍ତା ପାଉଥିଲେ । ଯେହେତୁ ରାଜକୋଷରୁ ଦରମା ନେଇ ସେ କାମ କରୁଥିଲେ , ସେହେତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ ଘରୋଇ ସଚିବ (private secretary)ଭାବେ ନିଯୁକ୍ତ କରିଥିଲେ । ଯେଉଁ ବ୍ୟକ୍ତି ରାଜକୋଷରୁ ଦରମା ନେଇ ସରକାରୀ କର୍ମଚାରୀ ଭାବେ କାମ କରୁନଥିବେ , ସେ ବ୍ୟକ୍ତିଙ୍କୁ  ମୁଖ୍ୟମନ୍ତ୍ରୀ ଚାହିଁଲେ ମଧ୍ୟ ନିଜର ଘରୋଇ ସଚିବ ପଦବୀରେ ନିଯୁକ୍ତ କରିପରିବେନାହିଁ ।

ସୁତରାଂ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବ ଭାବେ ପଣ୍ଡିଆନଙ୍କ ନିଯୁକ୍ତିରେ କୌଣସି ଅବୈଧତା ନଥିଲା । ମାତ୍ର, ସେହି ନିଯୁକ୍ତିର ଉପଯୋଗ କରି ସେ ଯାହାସବୁ କରିଗଲେ, ତାହା ଅଧିକାଂଶତଃ ଥିଲା ଅବୈଧ ।  

ପ୍ରଥମେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଶେଷରେ ନବୀନଙ୍କ ଦଳୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ତୋଳି ତାଙ୍କୁ ଉତ୍ତରଦାୟୀ କରିଥିଲେ । ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ନବୀନ ବା ପାଣ୍ଡିଆନଙ୍କ ସାମର୍ଥ୍ୟ ନଥିବାବେଳେ ଉତ୍ତରଦାୟୀତ୍ଵରୁ ଖସି ଯିବା ପାଇଁ ପାଣ୍ଡିଆନଙ୍କୁ ସାହାଯ୍ୟ କରିଥିଲେ ନବୀନ ପଟ୍ଟନାୟକ । ଏଥିପାଇଁ ଯେଉଁ ଷଡ଼ଯନ୍ତ୍ର ହୋଇଥିଲା ତଦନୁଯାୟୀ  ସ୍ଵେଚ୍ଛାକୃତ ଅବସର ନେବାକୁ ପାଣ୍ଡିଆନ ଦରଖାସ୍ତ କରିଥିଲେ ଓ ତାଙ୍କ ବିରୁଦ୍ଧରେ ଉତ୍ଥିତ ଅଭିଯୋଗର କୌଣସି ତଦନ୍ତ ନକରି, ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ସୁପାରିଶ କରିଥିଲେ ନବୀନ (ଓଡ଼ିଶା ସରକାରଙ୍କ ପତ୍ରାଙ୍କ GAD-SER1-PERS-0100-2014 Dt.20.10.2013) । ପବନବେଗରେ ତାହା ଗୃହୀତ ହୋଇଥିଲା (କେନ୍ଦ୍ର ସରକାରଙ୍କ ପତ୍ରାଙ୍କ 24012/13/2023-AIS-II (Pension) date 23.10.2023) ।

ଇସ୍ତଫା ଦେଇ ସଂପୂର୍ଣ୍ଣ ସୁରୁଖୁରୁରେ ସେ ଦାୟୀତ୍ଵମୁକ୍ତ ହୋଇଗଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କ୍ୟାବିନେଟ ମନ୍ତ୍ରୀର ପାହ୍ୟା ଦେଇ ଏପରି କ୍ଷମତା ଦେଇଛନ୍ତି , ଯାହାକୁ ଉପଯୋଗ କରି ସେ ପୂର୍ବରୁ କରିଥିବା ଅପଖର୍ଚ୍ଚ ଘୋଡ଼େଇ ଦେଇ ହେବ ଓ ବିକାଶ ବାହାନାରେ ରାଜନୈତିକ କାମ ପାଇଁ ରାଜକୋଷକୁ ଫୁଙ୍ଗୁଳା କରିହେବ ।

ସତେ ଯେପରି ଏହି ଅରାଜକତା କବଳରୁ ଓଡ଼ିଶାର ନିଷ୍କୃତି ନାହିଁ । କାରଣ, କର୍ମଚାରୀ ପ୍ରବର୍ଗରୁ ବିଦା ହେବା ପରେ ପରେ ପାଣ୍ଡିଆନ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ସଂସ୍ଥାପିତ ହୋଇ ‘ଫାଇଭ ଟି’ ସାଙ୍ଗକୁ ‘ନବୀନ ଓଡ଼ିଶା’ ପରି ଅନର୍ଥକ ଓ ଅବୈଧ ସଂକ୍ରମଣର ବାହକ ଭାବେ କ୍ଯାବିନେଟ ମନ୍ତ୍ରୀ ପାହ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମ କରିବେ, ଯେତେବେଳେ ଏପରି କୌଣସି ପଦବୀ ପାଇଁ କାର୍ଯ୍ୟ ନିୟମାବଳୀରେ ବ୍ୟବସ୍ଥା ନାହିଁ ଓ ରାଜ୍ୟପାଳଙ୍କ ଦ୍ଵାରା କାର୍ଯ୍ୟ ନିୟମାବଳୀ ସଂଶୋଧିତ ହୋଇ ଏପରି ପଦ ପଦବୀ ତିଆରି ନହେଲା ପର୍ଯ୍ୟନ୍ତ ଏହାର କୌଣସି ବୈଧତା ବି ନାହିଁ ।

ନବୀନ ପଟ୍ଟନାୟକ ଚଳାଇଥିବା ଲଗାମହୀନ ଅରାଜକତାର ଏହା ହେଉଛି ଏକ ଦୃଶ୍ୟମାନ ନଗ୍ନ ନମୂନା । ଏହି ଅରାଜକତା କବଳରେ ଓଡ଼ିଶା ଏବେ ବଡ଼ ବିପତ୍ତିରେ । 

ପୁଣି ଏକ ବେଆଇନ ଆଚରଣ ପାଇଁ ଶ୍ରମ ଅଦାଲତରେ ‘ସମାଜ’ ଦୋଷୀ ସାବ୍ୟସ୍ତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ପାଦନାରେ ସତ୍ୟବାଦୀ ପଞ୍ଚସଖା ସୃଷ୍ଟିକରିଥିବା ‘ସମାଜ’ କାଗଜକୁ ଗୋପବନ୍ଧୁଙ୍କ ‘ଉଇଲ’ରେ ଜାଲିଆତି କରି ଯେଉଁ ଲୋକସେବକ ମଣ୍ଡଳ ମାଡ଼ିବସିଛି, ସେହି ମଣ୍ଡଳ ପକ୍ଷରୁ ସମାଜ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ବେଆଇନ ଆଚରଣ ପାଇଁ ଭୁବନେଶ୍ବର ଶ୍ରମ ଅଦାଲତ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । 

ସାମ୍ବାଦିକୀୟ ବିଦ୍ୟାପୁରୀରୁ ଦିନମଜୁରିଆ !

ସମାଜ କାଗଜ ପାଇଁ ସଂବାଦଦାତା ଆବଶ୍ୟକ ଥିବାରୁ ପରିଚାଳନା କର୍ତ୍ତୃପକ୍ଷ ଢେଙ୍କାନାଳରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନ (IIMC)କୁ ଯାଇ ତହିଁର ତିନିଜଣ କୃତୀ ସ୍ନାତକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସର୍ତ୍ତରେ ମନୋନୀତ କରିଥିଲେ । ତନ୍ମଧ୍ୟରେ ଥିଲେ ଶ୍ରୀମାନ୍ ସନ୍ତୋଷ କୁମାର ମୁଦୁଲି । ସନ୍ତୋଷ କାମରେ ଯୋଗ ଦେଲେ ୧.୪.୨୦୧୦ରେ । ଗୋପବନ୍ଧୁଙ୍କ ଆଦର୍ଶରେ ପରିଚାଳିତ ବୋଲି କୁହାହେଉଥିବା ସମାଜ କୌଣସି ନିଯୁକ୍ତିପତ୍ର ଦେଇନଥିଲା । ମାସକ ପରେ ଯେତେବେଳେ ସେ ବେତନ ଆଶା କରୁଥିଲେ, ସମ୍ବାଦିକୀୟ ପାଠ୍ୟକ୍ରମ କୃତିତ୍ଵର ସହ ସମାପ୍ତ କରି ସମାଜର ସମ୍ପାଦକଙ୍କ ଦ୍ଵାରା ଜନସଞ୍ଚାର ସଂସ୍ଥାନ ପରି ସମ୍ବାଦିକୀୟ ବିଦ୍ୟାର ଏକ ବିଖ୍ୟାତ ପ୍ରତିଷ୍ଠାନରୁ ମନୋନୀତ ହୋଇଥିବା ମୁଦୁଲିଙ୍କୁ  ଅତ୍ୟନ୍ତ ସ୍ୱଳ୍ପ ପରିମାଣର ଟଙ୍କା ଦେଇ କୁହାହୋଇଥିଲା ଯେ, ତାଙ୍କର ତାଲିମ କାଳ ସମାପ୍ତ ହେବା ପର୍ଯ୍ୟନ୍ତ ସେ ଦିନମଜୁରିଆ ଭାବେ ପାଉଣା ପାଉଥିବେ !ସମ୍ବାଦିକତାର ଭାରତ ବିଖ୍ୟାତ ବିଦ୍ୟାପୁରୀରେ ସ୍ନାତକୋତ୍ତର ଉଚ୍ଚଶିକ୍ଷା ଓ ତାଲିମ ପାଇଥିବା ମୁଦୁଲିଙ୍କ ପାଇଁ ସମାଜରେ ତାଲିମ, ଯେଉଁଠି ସାମ୍ବାଦିକତାରେ “ଶ୍ରୀ ଅକ୍ଷର ବରୁଣେଇ ପାହାଡ଼”ମାନେ ବଡ଼ପଣ୍ଡା ?!?

ସେତେବେଳକୁ ଓଡ଼ିଶା ବାହାରେ ଜାତୀୟ ସମ୍ବାଦପତ୍ରରେ ଦୀର୍ଘଦିନ ଚାକିରି କରି ଜଣେ ପେଷାଦାର ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିବା ଶରତ ମିଶ୍ର ଥିଲେ ସମାଜର ସମ୍ପାଦକ ।  ସେ  ନିଜେ ଯାଇ ସାମ୍ବାଦିକୀୟ ବିଦ୍ୟାରେ ଉତ୍କର୍ଷତା ହାସଲ କରିଥିବା ହେତୁ ମୁଦୁଲିଙ୍କୁ ମନୋନୀତ କରିଥିଲେ  । ଏହା ଲେଖାଥିବା ଜନସଞ୍ଚାର ସଂସ୍ଥାନର ଚିଠି ଧରି ନିଯୁକ୍ତି  ପାଇଁ ୧.୪.୨୦୧୦ ତାରିଖରେ  ହାଜର ହୋଇଥିଲେ ସନ୍ତୋଷ  । ଥରେ ଶିକ୍ଷାୟତନରୁ ନିଯୁକ୍ତି ପାଇଁ ମନୋନୟନ (Campus Recruitment)  ସରିଗଲା ପରେ ଅନ୍ୟ କୌଣସି ଖବର କାଗଜରେ ନିଯୁକ୍ତିର ସମ୍ଭାବନା ସରିଯାଇଥିଲା, କାରଣ ଶିକ୍ଷାକ୍ଷେତ୍ରରୁ ଚାକିରିକ୍ଷେତ୍ରକୁ ସିଧା ପ୍ରବେଶ କରିବାର ଗୌରବବାହ ପର୍ଯ୍ୟାୟର ଅନ୍ତ ଘଟିସରିଥିଲା ସମାଜର ମନୋନଯନ ହେତୁ । ଚାକିରି ଆରମ୍ଭ କରିବାର ମାସାଧିକ କାଳ ପରେ ସେ ଯଦି ସମାଜ ଛାଡ଼ି ଅନ୍ୟ  କୌଣସି ସଂସ୍ଥାକୁ ଚାକିରି ପାଇଁ  ଦରଖାସ୍ତ କରିଥାନ୍ତେ, ସମାଜର ଏହି ନିକୃଷ୍ଟ ନିଯୁକ୍ତି ତାଙ୍କୁ ଏକ ଉପଯୁକ୍ତ ନିଯୁକ୍ତି ପାଇବାରେ ବାଧା ଦେଇଥାନ୍ତା । ନିରୂପାଯ ଅବସ୍ଥାରେ ମଥା ପାତି କାମ କରିଚାଲିଲେ ସନ୍ତୋଷ ପରିଚାଳନା କର୍ତ୍ତୃପକ୍ଷଙ୍କ ସ୍ଵେଚ୍ଛାଚାରୀ ଶ୍ରମାଭ୍ୟାସ (unfair labour practice)ର ଶିକାର ହୋଇ । ଶରତ ମିଶ୍ର ଜଣେ ଏପରି ମେରୁଦଣ୍ଡବିହୀନ ସମ୍ପାଦକ ଥିଲେ ଯେ, କର୍ତ୍ତୃପକ୍ଷଙ୍କ ଏହି ବେଆଇନ ଆଚରଣକୁ ସେ ବାଧାଦେଇପାରିଲେନି । 

ସାହାଯ୍ୟ ପାଇଁ ଚନ୍ଦ୍ରଭାନୁଙ୍କ ବ୍ୟର୍ଥ ପ୍ରୟାସ 

ଶରତ ମିଶ୍ର ବିଦାୟ ନେଇ ଚନ୍ଦ୍ରଭାନୁ ପଟ୍ଟନାୟକ ହେଲେ ସମାଜର ସମ୍ପାଦକ । କୌଣସି ନିଯୁକ୍ତିପତ୍ର ନଦେଇ ସମାଜ କର୍ତ୍ତୃପକ୍ଷ  ମୁଦୁଲିଙ୍କ ପରି ସାମ୍ବାଦିକୀୟ ବିଦ୍ୟାରେ ସୁଶିକ୍ଷିତ ଯୁବକଙ୍କୁ ଯେପରି ଦିନ  ମଜୁରିଆ ଭାବେ ଖଟାଉଥିଲେ,  ଚନ୍ଦ୍ରଭାନୁଙ୍କ ପରି ଜଣେ ପେଷାଦାର ସମ୍ବାଦିକଙ୍କୁ ତାହା ରୁଚିକର ହେଲା ନାହିଁ  । ସେ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ।  ତଦନୁଯାୟୀ ସନ୍ତୋଷଙ୍କୁ ସମ୍ବାଦ ପ୍ରଦାନକାରୀ (News Contributor) ବୋଲି ଦର୍ଶାଇ ଏକ ପରିଚୟପତ୍ର ଦିଆଗଲା । ଏହି ପରିଚୟ ପତ୍ରରେ ତାଙ୍କ ଚାକିରି ଆରମ୍ଭର ତାରିଖ ନଥିଲେ ମଧ୍ୟ ତହିଁର ଶେଷ ଅବଧି ଥିଲା ୩୧.୧୨.୨୦୧୦ ।  ଅର୍ଥାତ୍ ଦିନ ମଜୁରୀରେ ୨୦୧୦ ଶେଷ ପର୍ଯ୍ୟନ୍ତ ସେ ସମାଜର ସମ୍ବାଦପ୍ରଦାନକାରୀ କାର୍ଯ୍ୟ କରିଥାନ୍ତେ । ମୁଦୁଲିଙ୍କୁ ସମାଜ କର୍ତ୍ତୃପକ୍ଷଙ୍କ ଏହି ନିର୍ମମ ଶୋଷଣ ଚନ୍ଦ୍ରଭାନୁଙ୍କ ଛାତି ତଳେ ଛପିଥିବା ପେଷାଦାର ସାମ୍ବାଦିକଟିକୁ ଭର୍ତ୍ସନା କରୁଥିଲା । 

ଶ୍ରମିକ ସଂଗଠନର ସଭାପତି ଭାବେ ସମାଜର ବରିଷ୍ଠ ସାମ୍ବାଦିକ ଶ୍ରୀ ଦେବୀ ପ୍ରସନ୍ନ ନାୟକ ମଧ୍ୟ ଶିକ୍ଷା ଓ ତାଲିମ – ଉଭୟରେ ଉତ୍କର୍ଷତା ହେତୁ ଜନସଞ୍ଚାର ସଂସ୍ଥାନରୁ ବଛା ହୋଇଥିବା ସନ୍ତୋଷ ମୁଦୁଲି ପ୍ରଭୃତିଙ୍କୁ ନିୟମିତ ସାମ୍ବାଦିକ ଭାବେ ଗ୍ରହଣ କରି ବେତନବୋର୍ଡ ସୁପାରିଶ ଅନୁସାରେ ଦରମା ଦେବାକୁ ଯେଉଁ ଦାବି ରଖିଥିଲେ, ତାହା ଯଥାର୍ଥ ବୋଲି ଅନୁଭବ କଲେ ଚନ୍ଦ୍ରଭାନୁ ।

କିନ୍ତୁ ମୁଦୁଲିଙ୍କୁ ପିଛିଲା ତାରିଖରୁ ନିଯୁକ୍ତିପତ୍ର ଦେବା ଯେହେତୁ ତାଙ୍କ କର୍ତ୍ତୃତ୍ଵ ବାହାରେ ଥିଲା , ସେହେତୁ ସେ ତାଙ୍କୁ ଏପରି ଏକ ପ୍ରମାଣପତ୍ର ଦେଲେ, ଯାହା ତାଙ୍କୁ ସାମ୍ବାଦିକ ଭାବେ ପରିଚୟ ଦେଲା ଓ କର୍ତ୍ତୃପକ୍ଷ ତାଙ୍କୁ ନିଯୁକ୍ତିପତ୍ର ନଦେଇଥିଲେ ମଧ୍ୟ ସେ ୧.୪.୨୦୧୦ ତାରିଖରୁ  ସମାଜ କାଗଜରେ ସାମ୍ବାଦିକ ଭାବେ କାର୍ଯ୍ୟରତ ବୋଲି ଦର୍ଶାଇଲା । ୧୦.୫.୧୦ ତାରିଖର ୦୩/ସମ୍ପାଦକ/୧୦ (03/ED/10)ରେ ସମ୍ପାଦକ ଚନ୍ଦ୍ରଭାନୁ ପଟ୍ଟନାୟକ ସ୍ପଷ୍ଟ ଲେଖିଦେଲେ, ଭାରତୀୟ ଜନସଞ୍ଚାର ସଂସ୍ଥାନର ପରିସରରୁ ମନୋନୟନ (Campus Selection ) କ୍ରମେ ୨.୪.୨୦୧୦ ତାରିଖରୁ ଶ୍ରୀ ସନ୍ତୋଷ କୁମାର ମୁଦୁଲି ସମାଜର ସାମ୍ବାଦିକ ଭାବେ କାମ କରୁଛନ୍ତି ଏବଂ ସମ୍ବାଦ ଦେବା, ସମ୍ପାଦନା କରିବା ଓ ସମ୍ପାଦକୀୟ ଲେଖିବା କାମ ସେ ଅତ୍ୟନ୍ତ ଦକ୍ଷତାର ସହ ଉତ୍ତମ ଭାବେ ନିର୍ବାହ କରୁଛନ୍ତି । (“Mr. Santosh Kumar Muduli has been working here successfully since 2nd April, 2020 through campus selection. His performance in Reporting, Editing and Writting is very good.”) 

ଶ୍ରମିକଶୋଷଣରେ ଅଭ୍ୟସ୍ତ  ‘ସମାଜ’ କର୍ତ୍ତୃପକ୍ଷ ଏହା ହଜମ କରିପାରିଲେନି । ଏପରି ପରିସ୍ଥିତି ସୃଷ୍ଟିକଲେ ଯେ, ଚନ୍ଦ୍ରଭାନୁବାବୁଙ୍କ ପକ୍ଷେ ସମ୍ପାଦକ ପଦରେ ରହିବା ଆଉ ଶ୍ଲାଘ୍ୟ ହେଲାନାହିଁ  । କିନ୍ତୁ ତାଙ୍କ ପ୍ରଦତ୍ତ ଏହି ପ୍ରମାଣପତ୍ର ହେତୁ ସନ୍ତୋଷଙ୍କୁ ଦିନ ମଜୁରିଆ କରି ରଖିବା ଆଉ ସହଜ ନ ଥିଲା ।

ଗୋପାଳ ମହାପାତ୍ରଙ୍କ ସହଯୋଗ 

ଚନ୍ଦ୍ରଭାନୁଙ୍କ ପରେ ସମାଜର ସମ୍ପାଦକ ହୋଇଥିବା ପେଷାଦାର ସାମ୍ବାଦିକ ଗୋପାଳ ମହାପାତ୍ର  ତାଙ୍କୁ ସାମ୍ବାଦିକ ପଦରେ ନିୟମିତ କରିବାକୁ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ । 

ଯେଉଁ ଶଠମାନେ ଗୋପବନ୍ଧୁଙ୍କ ଉଇଲ ଜାଲ୍ କରି ସମାଜକୁ ମାଡ଼ିବସିଛନ୍ତି ସେମାନେ ସାମ୍ବାଦିକ ଓ ଶ୍ରମିକମାନଙ୍କୁ ହଇରାଣ କରି ବିଭତ୍ସ ଆନନ୍ଦ ପାଉଥିବା ଅନୁଭବ କରିହୁଏ । ତେଣୁ ସେମାନେ ସମ୍ପାଦକ ଗୋପାଳ ମହାପାତ୍ରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିବା ଅସମ୍ଭବ ଜାଣି ୧.୩.୨୦୧୨ ତାରିଖରେ ମୁଦୁଲିଙ୍କୁ ମାସିକ ବେତନ ସହ ବର୍ଷକ ପାଇଁ ନିଯୁକ୍ତ କଲେ ।  ଦିନମଜୁରିଆ ସ୍ଥିତିରୁ ତାଙ୍କୁ ମୁକ୍ତି ମିଳିଲା । କିନ୍ତୁ ତାଙ୍କ ବେତନ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ବେତନ କମିଶନ ସୁପାରିଶ କରିଥିବା ସର୍ବନିମ୍ନ ବେତନରୁ ଯଥେଷ୍ଟ ଊଣା କରାଯାଇ ମାସିକ ମାତ୍ର ୧୦ ହଜାର ଟଙ୍କା କରାଗଲା ଓ ସେ  ଜଣେ ଠିକା ସମ୍ବାଦପ୍ରେରକ (Reporter ) ଭାବେ ସଂସ୍ଥିତ ହେଲେ ବୋଲି କୁହାଗଲା  ।

ନିଯୁକ୍ତିଦାତାଙ୍କ ନିର୍ଦ୍ଦେଶ ମୁତାବକ ତହିଁରେ ଅଗତ୍ୟା ସମ୍ମତିସୂଚକ ସ୍ଵାକ୍ଷର କରିଥିଲେ ମଧ୍ୟ ଏପରି ଅଶୁଦ୍ଧ ଶ୍ରମାଭ୍ୟାସ ବିରୁଦ୍ଧରେ  ମୁଦୁଲି ମୌଖିକ ପ୍ରତିବାଦ କରିଥିଲେ । ଫଳରେ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଅଧିକୃତ ହୋଇଥିବା ସମ୍ପାଦକ ଗୋପାଳ ମହାପାତ୍ର ତାଙ୍କୁ ଜଣେ ସ୍ଥାୟୀ ସହସମ୍ପାଦକ (Sub Editor )ର ପରିଚୟ ପ୍ରଦାନ କଲେ ।

ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ସ୍ଵାକ୍ଷରରେ ପ୍ରଦତ୍ତ ପ୍ରଥମ ପରିଚୟ ପତ୍ରରେ ମୁଦୁଲିଙ୍କୁ ସମ୍ବାଦପ୍ରଦାନକାରୀ (News Contributor )  ବୋଲି ଦର୍ଶାଯାଇ ତହିଁର ଶେଷ ଅବଧି ୩୧.୧୨.୨୦୧୦ ବୋଲି ଉଲ୍ଲେଖ ଥିବା ବେଳେ ତାହାକୁ କାମଚଳା (provisional ) ଆଖ୍ୟା ଦିଆ ଯାଇଥିଲା । ସମାଜ କର୍ତ୍ତୃପକ୍ଷଙ୍କ ଅସାଧୁ ଶ୍ରମାଭ୍ୟାସ (unfair labour practices )କାରଣରୁ ପରିଚୟପତ୍ରଟିର କ୍ରମ ସଂଖ୍ୟା କେତେ ତାହା ତହିଁରେ ଉଲ୍ଲେଖ ନଥିଲା  । ମାତ୍ର ଗୋପାଳ ମହାପାତ୍ରଙ୍କ ସ୍ଵାକ୍ଷରରେ ପ୍ରଦତ୍ତ ୨ୟ ପରିଚୟପତ୍ରରେ ତାର ସଂଖ୍ୟା ସିକେ ୨୨୭ (CK 227 ) ବୋଲି ସ୍ପଷ୍ଟତଃ ଲେଖା ହୋଇଛି ଓ ମୁଦୁଲିଙ୍କ ପଦମର୍ଯ୍ୟାଦା ସହ-ସମ୍ପାଦକ (Sub-Editor)  ବୋଲି ଲେଖାହେବା ସଙ୍ଗେ ସଙ୍ଗେ କଟକ ଜିଲ୍ଲାର କଟକ ସହର ହିଁ ତାଙ୍କ କର୍ମସ୍ଥଳ ବୋଲି ସ୍ପଷ୍ଟ କରାହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ପରିଚୟ ପତ୍ରର ଅବଧି କେବେ ଶେଷ ହେବ ତାହା ଉଲ୍ଲେଖ କରାଯାଇନି । ଅତଏବ, ଏହା ହିଁ କୁହାହୋଇଛି ଯେ, କଟକ ସହରରେ ଥିବା ସମାଜ କାର୍ଯ୍ୟାଳୟରେ ସେ ସହ-ସମ୍ପାଦକ ଭାବେ  ସଂସ୍ଥିତ ରହିବେ ।  ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଶ୍ରୀ ମୁଦୁଲିଙ୍କୁ ନିଯୁକ୍ତି ପତ୍ର  ଆଦୌ ଦିଆଯାଇନଥିବାରୁ, ଅଧିକୃତ ସମ୍ପାଦକଙ୍କ ଦ୍ଵାରା ପ୍ରଦତ୍ତ ଏହି ପରିଚୟପତ୍ର ହିଁ ତାଙ୍କ ନିଯୁକ୍ତିପତ୍ର ସହ ସମାନ ,  ଯେହେତୁ ସେ କେଉଁ ପଦମର୍ଯ୍ୟାଦାରେ ସଂସ୍ଥିତ ତାହା ଏହି ପରିଚୟପତ୍ରରେ ଲିପିବଦ୍ଧ  ହୋଇଛି ।  ଅତଏବ ସମ୍ପାଦକ  ଗୋପାଳ ମହାପାତ୍ର ତାଙ୍କ ଅଧୀନରେ “ସମ୍ବାଦ ଦେବା, ସମ୍ପାଦନା କରିବା ଓ ସମ୍ପାଦକୀୟ ଲେଖିବା କାମ” ସୁଚାରୁରୂପେ ସମ୍ପାଦନ କରୁଥିବା ସନ୍ତୋଷଙ୍କୁ ପଦମର୍ଯ୍ୟାଦା ଓ ସ୍ଥାୟୀ ନିଯୁକ୍ତି ସୂଚକ ପରିଚୟ ପତ୍ର ଦେଇ ଅଦର୍ଶନିଷ୍ଠ ସହଯୋଗ ପ୍ରଦାନ କରିଛନ୍ତି । 

କିନ୍ତୁ ଏହାହିଁ ତାଙ୍କପାଇଁ ଭାରୀ ପଡ଼ିଥିଲା। ଆମେ ଦେଖୁ, ସେ ଶ୍ରୀ ମୁଦୁଲିଙ୍କୁ ଏପରି ପରିଚୟ ପତ୍ର ପ୍ରଦାନ କଲା ପରେ ଆଉ ବେଶୀ କାଳ ସମାଜରେ ତାଙ୍କୁ ସମ୍ପାଦକର ବିଶେଷ ଅଧିକାର ମିଳିନାହିଁ।  ଆମେ ଦେଖୁ, ତାଙ୍କ ନାମ ବ୍ୟବହାର କରି ସହ-ସମ୍ପାଦକ ସନ୍ତୋଷ ମୁଦୁଲିଙ୍କୁ ସଂବାଦଦାତା (reporter) ଭାବେ ୧୮.୮.୨୦୧୨ ତାରିଖରେ ବାଲେଶ୍ଵରକୁ ବଦଳି କରିଛନ୍ତି ସାଧାରଣ ପରିଚାଳକ, ଯାହାଙ୍କର ସେଥିପାଇଁ କ୍ଷମତା ବି ନାହିଁ ;  ଅଥଚ ଗୋପାଳବାବୁ ସମ୍ପାଦକ ଭାବେ ପାଟିଫିଟାଇ ପାରିନାହାନ୍ତି । 

ସମାଜରେ ଶ୍ରମିକ ଅଶାନ୍ତି 

ଏହା ହେଉଛି ସେହି ସମୟ, ଯେଉଁ ସମୟରେ ସମାଜରେ ନାହିଁନଥିବା ଶ୍ରମିକ ଅଶାନ୍ତି ଦେଖା ଦେଇଥିଲା । ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ସାଧାରଣ ପରିଚାଳକ ଭାବେ ନିଯୁକ୍ତ କରି ତାଙ୍କ ମାଧ୍ୟମରେ ସରକାରୀ କଳକୁ ଧରି କର୍ମଚାରୀମାନଙ୍କ ଉପରେ ଆତଙ୍କରାଜ ଚଳାଇଥିଲେ ପରିଚାଳନା କର୍ତ୍ତୃପକ୍ଷ।  ପରିଚାଳନା ନାମରେ ଯଥୈଚ୍ଛାଚାର ଚାଲିଥିଲା  । ଏପରିକି ଶ୍ରମିକମାନଙ୍କ ଅଭିଯୋଗ ଉପରେ ଶ୍ରମ ଆଇନ ଅନୁଯାୟୀ ପଦକ୍ଷେପ ନେଇଥିବା କାରଣରୁ ପାଣ୍ଡିଆନଙ୍କୁ ଲଗାଇ ଶ୍ରମମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ବାଧ୍ୟ କରାହୋଇଥିଲା କଟକ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ  ଅନ୍ୟକୌଣସି ସ୍ଥାନକୁ ବଦଳି କରିବା ପାଇଁ ।  Transfer Industry: Orissa’s only industry that ensures income without investment ଶୀର୍ଷକ ଲେଖାରେ ୬.୨.୨୦୧୪ ତାରିଖରେ ଏହା ରିପୋର୍ଟ କରି ମୁଁ ଲେଖିଥିଲି ,

“Labor Minister Bijayashree Rautray had to carry out oral orders of Chief Minister’s Private Secretary V. K. Pandian to transfer P.K.Mohanty, District Labor Officer of Cuttack within a very short time of his posting, because he had justly initiated action against the unfair labor practices and prosecutable contravention of labor laws by the publisher of The Samaja, the newspaper that has pledged pages to political propaganda of the CM.”

ଏହି ବିକଟ ପରିସ୍ଥିତିରେ ସମ୍ପାଦକଙ୍କ ଅଙ୍ଗୀକାର ଅଛି ବୋଲି କହି, ଶ୍ରମିକ ଏକତା ପ୍ରତି ଅନୁକୂଳ ମନୋଭାବ ପୋଷଣ କରୁଥିବା ସନ୍ତୋଷଙ୍କୁ ରିପୋର୍ଟର ଭାବେ ବାଲେଶ୍ଵର ବଦଳି କରାଯାଇଥିଲା ଓ ତାଙ୍କର ସ୍ଥାୟୀ ସହ-ସମ୍ପାଦକ ପରିଚୟ ଥାଇ ମଧ୍ୟ ତାଙ୍କ ଠିକା ନିଯୁକ୍ତି ସମୟ ସରିଯାଇଛି ବୋଲି କହି ୭.୪.୨୦୧୪ ତାରିଖରେ ତାଙ୍କୁ ଚାକିରିରୁ ବିଦା କରିଦିଆଗଲା । ଏହା କରିବାକୁ କର୍ତ୍ତୃପକ୍ଷଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା  ସମ୍ପାଦକ ପଦରୁ ଗୋପାଳବାବୁ ବିଦାୟ ନେବା ପର୍ଯ୍ୟନ୍ତ। ଗୋପାଳବାବୁ ବିଦାୟ ନେବା ପରେ ସତ୍ୟ ରାୟ ନାମକ ଜଣେ ପୂର୍ବତନ କର୍ମଚାରୀଙ୍କୁ ସମ୍ପାଦକ ଦାୟିତ୍ଵ ଦେଇ ସନ୍ତୋଷଙ୍କ ନିଯୁକ୍ତି ଏହିପରି ଅବୈଧ ଶୈଳୀରେ ଲୋପ କରାଯାଇଥିଲା ।  

ଉତ୍କଳମଣି ସମ୍ବାଦପତ୍ର କର୍ମଚାରୀ ସଂଘର ସଭାପତି ଭାବେ ବିଶିଷ୍ଟ ସାମ୍ବାଦିକ ଶ୍ରୀମାନ୍ ଦେବୀ ପ୍ରସନ୍ନ ନାୟକ ସନ୍ତୋଷଙ୍କ ସମେତ ବହୁ କର୍ମଚାରୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ଶ୍ରମ ଆଇନ ପ୍ରୟୋଗକାରୀ କର୍ତ୍ତୃପକ୍ଷଙ୍କ ଇଜଲାସରେ ଆପତ୍ତି ଉଠାଇଲେ । ସମାଜ କର୍ତ୍ତୁପକ୍ଷ ନିଜ ଭୁଲ ସୁଧାରିବାକୁ ରାଜି ନହେବାରୁ ଓ ବେଆଇନ ଭାବେ ସନ୍ତୋଷଙ୍କ ନିଯୁକ୍ତି ଲୋପ କରିଥିବା ହେତୁ ତାହା ଏକ ଶିଳ୍ପ ବିବାଦର ରୂପ ନେଲା ଓ ଶ୍ରମ ବିଭାଗ ରାଜ୍ୟ ରାଜଧାନୀରେ ଥିବା ଶ୍ରମ ଅଦାଲତକୁ ତାହାର ବିଚାର ଦାୟିତ୍ଵ ଦେଲା । 

ଶିଲ୍ପ ବିବାଦ 

ଶ୍ରୀମାନ୍ ଦେବୀ ପ୍ରସନ୍ନ ନାୟକଙ୍କ ସୁଦକ୍ଷ ପରିଚାଳନା ହେତୁ  ଶ୍ରମ ଅଦାଲତ ଏହି ବିବାଦ (ID case No. 21 of 2016)ର ପୁଙ୍ଖାନୁପୁଙ୍ଖ  ବିଚାର କରି ସମାଜ କର୍ତ୍ତୃପକ୍ଷଙ୍କୁ ଦୋଷୀ ଘୋଷଣା କରିଛନ୍ତି ଓ ନିଷ୍ପତ୍ତି ଶୁଣାଇଛନ୍ତି କି, ମୁଦୁଲିଙ୍କ ନିଯୁକ୍ତି ପରିସମାପ୍ତି ସଂପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଓ ବେଆଇନ ଥିବା ହେତୁ ସେ ଚାକିରି ଫେରିପାଇବେ ଓ ଚାକିରି ହରାଇଥିବା ଦିନଠାରୁ ତହିଁରେ ପୁନଃ ସଂସ୍ଥିତ ହେବେ । 

ତାଙ୍କୁ “ଦିନ ମଜୁରିଆ”, “ଠିକା ସମ୍ବାଦପ୍ରଦାନକାରୀ” “ଠିକା ସମ୍ବାଦଦାତା” ଆଦି ଯେତେ ପଦବୀ ଲଗାଇଥିଲେ ସମାଜ ପରିଚାଳନା କର୍ତ୍ତୃପକ୍ଷ, ସେ ସମସ୍ତ ବେଆଇନ ଥିଲା ଓ ପରିଚାଳକଙ୍କ କ୍ଷମତାର ଦୁରୁପଯୋଗ ଥିଲା ବୋଲି ନିର୍ଣ୍ଣୟ ଦେଇ ଶ୍ରମ ଅଦାଲତ ତାଙ୍କୁ ତାଙ୍କ ପଦବୀରେ ପିଛିଲା ତାରିଖରୁ ସଂସ୍ଥିତ କରିଛନ୍ତି । 

“While holding the action of the first party management to be neither legal or justified, this Court directs the first party management to reinstate the second party workman in service forthwith.”

ଶ୍ରମ ଅଦାଲତଙ୍କ ନିଷ୍ପତ୍ତି ଗ୍ରହଣ କରି ଅଗଷ୍ଟ ୧୦,୨୦୨୩ ତାରିଖରେ ରାଜ୍ୟ ଶ୍ରମ ବିଭାଗ ତହିଁର ବିଜ୍ଞପ୍ତି ଜାରିକଲା ପରେ , ଅଦାଲତଙ୍କ ଆଦେଶ ବଳରେ ପଦବୀ ଫେରିପାଇଥିବା ସ୍ଥାୟୀ ସହ-ସମ୍ପାଦକ ଶ୍ରୀ ମୁଦୁଲି ତା ୨୬.୮.୨୦୨୩ରେ ସମାଜ କାର୍ଯ୍ୟାଳୟକୁ ଯାଇ  ତାଙ୍କ ଯୋଗଦାନ ପତ୍ର (joining report ) ପ୍ରଦାନ କରିଛନ୍ତି ।

ତଥାପି ଅଦାଲତଙ୍କ ଭୁଲ୍

ରାଜ୍ୟ ସରକାରଙ୍କ “ମେଡିଆ ପାର୍ଟନର” ସାଜିଥିବା ସମାଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏହି ନ୍ୟାୟିକ ସିଦ୍ଧାନ୍ତ ପ୍ରଦାନ  ପାଇଁ ମୁଁ  ଶ୍ରମ ଅଦାଲତଙ୍କୁ ଅଭିନନ୍ଦନ ଜଣାଉଛି ।

ମାତ୍ର ମୋର ଆଶଙ୍କା, ଶ୍ରୀ ମୁଦୁଲିଙ୍କୁ ପିଛିଲା ତାରିଖରୁ ପୁନର୍ନିଯୁକ୍ତି ଆଦେଶ ଦେଇଥିଲେ ମଧ୍ୟ ଅଦାଲତ କୌଣସି ଅଜଣା ଭୟର  ବଶବର୍ତ୍ତୀ ହୋଇ ନିର୍ଯ୍ୟାତିତ  ସାମ୍ବାଦିକଙ୍କୁ ଆର୍ଥିକ ନ୍ୟାୟ ପ୍ରଦାନ କରିନାହାନ୍ତି । ସମ୍ପୃକ୍ତ ସାମ୍ବାଦିକ କର୍ମବଞ୍ଚିତ ହୋଇଥିବା ସମୟରେ ସମାଜ କାଗଜ ପାଇଁ କୌଣସି କାମ ନକରିଥିବା ହେତୁ ( “as during the said period he has contributed nothing to the management”) ପିଛିଲା ପ୍ରାପ୍ୟର ୩୦% ପାଇବେ ବୋଲି ସିଦ୍ଧାନ୍ତ ଶୁଣାଇ ଅଦାଲତର ଅଧିଷ୍ଠାତ୍ରୀ ଶୀମତୀ ଅପର୍ଣ୍ଣା ମହାପାତ୍ର ନିର୍ଯ୍ୟାତନାକାରୀ ସମାଜ କର୍ତ୍ତୃପକ୍ଷଙ୍କୁ ନିର୍ଯ୍ୟାତିତ  ସାମ୍ବାଦିକଙ୍କ ପ୍ରାପ୍ୟର ୭୦% ତାଦ୍ଦୃଶ ନିର୍ଯ୍ୟାତନା ପାଇଁ ପୁରସ୍କାର ଦେଇଛନ୍ତି ବୋଲି କୁହାଯାଇପାରେ । କାର୍ଯ୍ୟକ୍ଷେତ୍ରରୁ ବେଆଇନ ଭାବେ  ବହିଷ୍କୃତ  ସାମ୍ବାଦିକ ସନ୍ତୋଷ ମୁଦୁଲି ବହିଷ୍କୃତ ହୋଇ ରହିଥିବା ସମୟରେ ସମାଜ କର୍ତ୍ତୃପକ୍ଷଙ୍କୁ କି ସେବା ପ୍ରଦାନ କରିପାରିଥାନ୍ତେ? ସନ୍ତୋଷଙ୍କ ପିଛିଲା ବେତନକୁ ନେଇ ଏପରି ଏକ ବିଭ୍ରାନ୍ତିଭରା ନିର୍ଣ୍ଣୟରେ ଉପନୀତ ହେବା ପୂର୍ବରୁ ଅଦାଲତ ଅଧିଷ୍ଠାତ୍ରୀ ଏ ପ୍ରଶ୍ନ ନିଜକୁ ନିଜେ ପଚାରିବା ଆବଶ୍ୟକ ଥିଲା । ସେ ଲିପିବଦ୍ଧ କରିଥିବା ସିଦ୍ଧାନ୍ତ ଅନୁଧ୍ୟାନ କଲେ ମନେ ହୁଏ ସେ ବିବାଦଟିରେ ଗଭୀର ମନୋନିବେଶ କରିଛନ୍ତି । ଚକ୍ରଧର ତ୍ରିପାଠୀ ବନାମ ଓଡ଼ିଶା ସରକାର (1992 L. I.  C. 1813), ବଲବୀର ସିଂହ ବନାମ କୁରୁକ୍ଷେତ୍ର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (LLR 1990 – 513 -P&H ), କେନ୍ଦ୍ରୀୟ ଅଭ୍ୟନ୍ତର ଜଳ ପରିବହନ ମାମଲା (AIR 1986 -1571 ) ଆଦି ନ୍ୟାୟିକ ଆଇନର ଅନୁଶୀଳନ ଓ ବ୍ୟାଖ୍ୟା ତାଙ୍କ ସିଦ୍ଧାନ୍ତକୁ ପ୍ରଭାବିତ କରିଛି ସନ୍ତୋଷଙ୍କୁ ବେଆଇନ ଭାବେ ବହିଷ୍କୃତ ହୋଇଥିବା ଦିନଠାରୁ ପୁନଃ ସଂସ୍ଥିତ କରିବାକୁ ସମାଜ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେବାରେ । 

ଶିଳ୍ପ ବିବାଦ ଆଇନ ଅନୁସାରେ ରାଜ୍ୟ ସରକାର ଶ୍ରମ ଅଦାଲତଙ୍କ ବିଚାର୍ଯ୍ୟ ବିଷୟ (Terms of Reference) ନିମ୍ନମତେ ଜାରି କରିଥିଲେ:

“Whether the action of the Management of The Samaj, At/PO – Buxi Bazar, Dist. Cuttack in terminating the employment of Sri Santanu Kumar Muduli, Ex-Reporter from service with effect from 01.04.2014 in guise of non-renewal of annual contract is legal and /or justified? If not, what relief the workman is entitled to?”

ଏହାର ଉତ୍ତର ଦେବାକୁ ଅଦାଲତ ଉଭୟପକ୍ଷଙ୍କ ଶୁଣାଣି କରି ନିମ୍ନ ପ୍ରକାରେ ବିଚାର୍ଯ୍ୟ ପ୍ରଶ୍ନ (Issue ) ନିରୂପଣ କରିଥିଲେ :

“(1) Whether the action of the management, The Samaj, At/PO-Buxi Bazar, Dist. Cuttack in terminating the employment of Sri Santosh Kumar Muduli, Ex-Reporter from service with effect fron 01.04.2014 in the guise of non-renual of annual contract is legal and/or justified? 

(2) If not, what relief the workman is entitled to?”

ପ୍ରଥମ ପ୍ରଶ୍ନର ଉତ୍ତର ଦେଇ ଅଦାଲତ ସ୍ପଷ୍ଟ କହିଛନ୍ତି ଯେ, ମୁଦୁଲିଙ୍କ ଛଟେଇ ଆଇନାନୁମୋଦିତ ନୁହେଁ କି ଯଥାର୍ଥ ନୁହେଁ (“neither legal nor justified” ) । 

ଏହି ଉତ୍ତର ପରେ, ୨ୟ ପ୍ରଶ୍ନର ସ୍ଵାଭାବିକ ଉତ୍ତର ହୋଇଥାନ୍ତା, ମୁଦୁଲି ସମସ୍ତ ପିଛିଲା ବେତନ ଓ ତତ୍ପରିମାଣତଃ ସମସ୍ତ  ଫାଇଦା ପାଇବାକୁ ହକ୍ଦାର (He is entitled to all backwages and consequential benefits) । ଏହା ନକରି ସେ ସଂପୂର୍ଣ୍ଣ ଅସ୍ଵାଭାବିକ ଭାବେ ଛଟେଇ ସମୟ ପାଇଁ ମୁଦୁଲି ତାଙ୍କ ପିଛିଲା ପ୍ରାପ୍ୟର ମାତ୍ର ୩୦% ଅର୍ଥ ପାଇବେ ବୋଲି କହିଛନ୍ତି । 

ମୁଦୁଲିଙ୍କୁ କର୍ମବଞ୍ଚିତ କରି ରଖିଥିବା ହେତୁ ଶ୍ରମ ଅଦାଲତ ସମାଜ କର୍ତ୍ତୃପକ୍ଷଙ୍କୁ ଅଯଥା ଓ ବେଆଇନ ଭାବେ ଛଟେଇ  ହୋଇଥିବା କର୍ମଜୀବୀ ସାମ୍ବାଦିକଙ୍କ ହକ୍ ପ୍ରାପ୍ୟରୁ ୭୦% ସମାଜ ପରିଚାଳକଙ୍କୁ ପୁରସ୍କାର ଦେବାକୁ ଅଧିକୃତ କି? 

ମୁଁ ଭାବୁଛି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ପ୍ରଶ୍ନର ଉତ୍ତର ଦେବା ଉଚିତ ଓ ଅନ୍ୟାୟର ଶିକାର ହୋଇଥିବା ସାମ୍ବାଦିକ ସନ୍ତୋଷ କୁମାର ମୁଦୁଲିଙ୍କୁ ନ୍ୟାୟ ପୂର୍ଣ୍ଣତଃ ପ୍ରାପ୍ତ ହେବା ଆବଶ୍ୟକ । 

 

 

ସ୍ୱାସ୍ଥ୍ୟ ବିଭାଗରେ ପାଉସେରି ହେତୁ ଶୁଦ୍ଧ ରକ୍ତ ପାଇବାରେ ସଙ୍କଟ ଉପୁଜିବା ଆଶଙ୍କା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାରେ ଶୁଦ୍ଧ ରକ୍ତ ଅଭିଯାନ ଆରମ୍ଭ ହୋଇଥିଲା ୨୦୧୨ ମସିହାର ଜୁଲାଇ ୮ ତାରିଖରେ ଯେଉଁଦିନ ଓଡ଼ିଶାରେ ଏଡ୍ସ (AIDS) ବ୍ୟାପିବାରେ ରାଜ୍ୟ ସରକାର ସାହାଯ୍ୟ କରୁଥିବା ସପ୍ରମାଣ ମୁଁ ପ୍ରକାଶ କରିଥିଲି । ଶୀର୍ଷକ ଥିଲା  “Shocking Reality: AIDS Being Aided By Government of Orissa”, ଯାହା ତତ୍କାଳୀନ ବିରୋଧୀ ଦଳର ମୁଖ୍ୟଛାଟିଆ ପ୍ରସାଦ ହରିଚନ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏକ ମୁଲତବୀ ପ୍ରସ୍ତାବ ଆଗତ କରି ୧.୯.୨୦୧୨ ତାରିଖରେ ସେ ବିଧାନସଭାରେ ଘମାଘୋଟ ଆଲୋଚନା କଲେ, ଯାହା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବାଧ୍ୟ କରିଥିଲା ଘୋଷଣା କରିବାକୁ ଯେ, ମୁଁ ସୂଚାଇଥିବା ହାଇକୋର୍ଟ ଆଦେଶକୁ ରାଜ୍ୟ ସରକାର ନିଶ୍ଚୟ କାର୍ଯ୍ୟକାରୀ କରିବେ । ମାତ୍ର ସେଦିନଠୁ ଏଇ ୧୧ ବର୍ଷ ଭିତରେ ସରକାର କେବଳ ୧୧ଟି ରକ୍ତ ସଂଗ୍ରହ କେନ୍ଦ୍ରରେ ଏହି ବ୍ୟବସ୍ଥା ଖଞ୍ଜିଛନ୍ତି ।

ତେଣୁ, କଳା ପତାକା ଅଭିଯାନରେ ମୋର ଘନିଷ୍ଠ ସହକର୍ମୀ ଥିବା ଯୁବ ସମାଜସେବୀ ଶ୍ରୀମାନ୍ ଅମିତ ଅଭିଜିତ ସାମଲ ଶୁଦ୍ଧ ରକ୍ତ ଯୋଗାଣରେ ଟାଳଟୁଳ କରି ଓଡ଼ିଆ ଲୋକଙ୍କ ଜୀବନ ନେଇ ଖେଳ ଖେଳିବାରୁ ଓଡ଼ିଶା ସରକାରଙ୍କୁ ଆଇନତଃ ନିବୃତ୍ତ କରାଯାଉ ଓ ସମସ୍ତ ରକ୍ତଭଣ୍ଡାର/ ରକ୍ତ ସଂଗ୍ରହ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଚ୍ଚନ୍ୟାୟାଳୟଙ୍କ ଦ୍ଵାରା ଆଦ୍ଦିଷ୍ଟ ବୈଷୟିକ ଜ୍ଞାନକୌଶଳ – ନାଟ୍ ପିସିଆର୍ (NAT PCR) ମାଧ୍ୟମରେ ରକ୍ତ ପରୀକ୍ଷା ପାଇଁ ଆଦେଶ ଦିଆଯାଉ ବୋଲି ଏକ ଜନସ୍ଵାର୍ଥ ମାମଲା ଦାଏର କଲେ । ନ୍ୟାୟଳୟ ଏହି ପ୍ରାର୍ଥନା ମଞ୍ଜୁର କରିବା ପରେ ଏହାର ଫାଇଦା ନେବା ପାଇଁ ଏକ ଛଦ୍ମ ବ୍ୟବସାୟୀ ସଂସ୍ଥା ଲାଗି ପଡ଼ିଛି ଓ ସ୍ୱାସ୍ଥ୍ୟ ବିଭାଗର କେତେକ ବଡ଼ପଣ୍ଡା କେବଳ ସେହି ବ୍ୟବସାୟୀଙ୍କୁ ସୁହାଇବା ପରି ସର୍ତ୍ତ ଥିବା ଟେଣ୍ଡର ନୋଟିସ୍ ପ୍ରସ୍ତୁତ କରିଛନ୍ତି । ଏହାର ସବିଶେଷ ତଥ୍ୟ Predator in the Health Deptt; blood safety may face a mess ଶୀର୍ଷକରେ ମୁଁ ଉପସ୍ଥାପିତ କରିଛି ।

ଓଡ଼ିଶାରେ ରକ୍ତ ସଂଗ୍ରହ ଅଭିଯାନର ନୂଆ ଯୁଗ ସୃଷ୍ଟି କରିଥିବା ‘ଆମ ଓଡ଼ିଶା’ ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ସମ୍ବାଦ’ ଆଜିର ରାଜ୍ୟ ସଂସ୍କରଣରେ ଯାହା ଲେଖିଛି ତାହା ମୁଁ ଏଠାରେ ଅବିକଳ ସଂଯୁକ୍ତ କରୁଛି :

ଅତଏବ ପାଉସେରି ପାଇଁ ସ୍ୱାସ୍ଥ୍ୟ ବିଭାଗର ସମ୍ପୃକ୍ତ ପଦାଧିକାରୀ ଶୁଦ୍ଧ ରକ୍ତ ପାଇବାରେ ସଙ୍କଟ ଉପୁଜାଇବାର ଆଶଙ୍କା ବଳବତ୍ତର ହୋଇଛି ।

ଗଭୀର ବୈଷୟିକ ବିଶ୍ଳେଷଣ ଦ୍ଵାରା ପୂର୍ବରୁ ନିୟୋଜିତ ନାଟ୍ ପିସିଆର୍ (NAT PCR) ଜ୍ଞାନକୌଶଳକୁ ନୂଆ ଟେଣ୍ଡର ସର୍ତ୍ତରୁ ବାଦ ଦେଇ ପ୍ରତ୍ୟକ୍ଷ ଅନୁଭୂତିକୁ ଆସିନଥିବା କୌଣସି ଏକ ଅଜ୍ଞାତ ବ୍ୟବସାୟୀକୁ ସୁହାଇବା ପରି ସର୍ତ୍ତ ସହ ବିଜ୍ଞପ୍ତି ପ୍ରକାଶନ ପାଇଁ  ଶୁଦ୍ଧରକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାହିଁକି ବ୍ୟଗ୍ର ,ତହିଁ ଉପରେ ତଦନ୍ତ ହେବାର ଆବଶ୍ୟକତା ଅଛି ।

ଏକ ନିର୍ଦ୍ଦିଷ୍ଟ (ଏଯାଏଁ ଅଜ୍ଞାତ) ବ୍ୟବସାୟୀଙ୍କୁ ଟେଣ୍ଡରରେ ଅଂଶ ଗ୍ରହଣର ସାମର୍ଥ୍ୟ ପ୍ରଦାନ ପାଇଁ ଯେଉଁ ଚିଠା ଟେଣ୍ଡର ନୋଟିସ୍ ପ୍ରସ୍ତୁତ ହୋଇଛି ତାକୁ ତୁରନ୍ତ ବାତିଲ କରି ଏଥିରେ ଅଂଶ ଗ୍ରହଣ କରିବାକୁ ଆଗ୍ରହୀ ସମସ୍ତଙ୍କ ପାଇଁ ମୁକ୍ତ ସୁଯୋଗ ରଖି  ସାନି ଟେଣ୍ଡର ନୋଟିସ ପ୍ରସ୍ତୁତ ହେବା ଦରକାର ଓ ଟେଣ୍ଡର ବିଚାରରୁ ବର୍ତ୍ତମାନର ଶୁଦ୍ଧ ରକ୍ତ (blood safety) ନିର୍ଦ୍ଦେଶକଙ୍କୁ ବାଦ ଦିଆଯିବା ଦରକାର ।

ବୈଷୟିକ ଉଦ୍ଭାବନର ନୂଆ ଯୁଗ ପ୍ରବର୍ତ୍ତକ ଅଶୋକ ମିଶ୍ରଙ୍କୁ ନୋବେଲ ପୁରସ୍କାର ପାଇଁ ଢେଙ୍କାନାଳରୁ ସ୍ଵର ଉଠୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ବୈଷୟିକ ଉଦ୍ଭାବନର ନୂଆ ଯୁଗ ପ୍ରବର୍ତ୍ତକ ଭାବେ ଢେଙ୍କାନାଳ ମାଟିରେ ଜନ୍ମିତ ଡଃ ଅଶୋକ ମିଶ୍ରଙ୍କୁ ନୋବେଲ ପୁରକାର ମିଳିବା ପାଇଁ ଓଡ଼ିଶାରୁ, ବିଶେଷତଃ ତାଙ୍କ ଜନ୍ମସ୍ଥାନ ଢେଙ୍କାନାଳରୁ ସ୍ଵର ଉଠିବା ଆବଶ୍ୟକ । ଗତ ୧୭.୧୦.୨୦୧୦ ତାରିଖରେ ମୁଁ ଏଥିପାଇଁ ଯେଉଁ ଦାବି ରଖିଥିଲି ତହିଁର ଶୀର୍ଷକ ଥିଲା India Should Seek Nobel for Dr. Asoka Kumar Misra, ଯାହା ଥିଲା ଏକ ପ୍ରମାଣଭିତ୍ତିକ ଦାବି । ରାଜନୀତି ଭାରତର ଜାତୀୟ ଆକାଶକୁ ଏମିତି ଆଚ୍ଛାଦିତ କରିରଖିଛି ଯେ, ଏଥିପାଇଁ ମଥା ଖେଳେଇବାକୁ ନେତାମାନଙ୍କୁ ବେଳ ନାହିଁ ।

ବର୍ତ୍ତମାନର ବିଶ୍ଵରେ ବୈଷୟିକ ଉଦ୍ଭାବନର ଯେଉଁ ନୂଆ ଯୁଗ ପରିଦୃଶ୍ୟମାନ, ତାହା ଏଯାଏଁ ସମ୍ଭବ ହୋଇନଥାନ୍ତା, ଯଦି ନିୟନ୍ତ୍ରିତ ବିଦ୍ୟୁତ୍ ପ୍ରୟୋଗର ଏକ ନୂଆ କୌଶଳ ଡଃ ମିଶ୍ର ଉଦ୍ଭାବନ କରିନଥାନ୍ତେ । ତାଙ୍କ ନିରୂପଣ ‘The Metallurgical Transactions A’ ରେ ୧୯୮୫ରେ ପ୍ରଥମେ ସୂଚିତ ହୋଇ ୧୯୮୬ରେ ପୂର୍ଣ୍ଣାଙ୍ଗ ନିବନ୍ଧ ପ୍ରକାଶ ପାଇଲା ପରେ ବୈଷୟିକ ଉଦ୍ଭାବନ କ୍ଷେତ୍ରରେ ଏକ ନୂଆ ସମ୍ଭାବନାମୟ ଆଲୋକ ସ୍ତମ୍ଭ ମୁଣ୍ଡ ଟେକିଥିଲା । ତାଙ୍କ କୌଶଳ ମିଶ୍ର ବୈଷୟିକକୌଶଳ  (Misra Technique) ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ପାଟେଣ୍ଟ (US Patent No.5,253,696) ହାସଲ କରିଥିଲା ୧୯.୧୦.୧୯୯୩ରେ । ଏହି ପଞ୍ଜୀକୃତ ପ୍ୟାଟେଣ୍ଟରେ ତାଙ୍କ କୌଶଳର ସବିଶେଷ ବର୍ଣ୍ଣନା ସେ ରଖିଥିଲେ । 

ସମୟର ଗଡ୍ଡାଳିକା ପ୍ରବାହରେ ଆମେରିକା ଛାଡ଼ି ଫେରି ଆସିଥିଲେ ଡଃ ମିଶ୍ର ଓଡ଼ିଶାକୁ । ତାଙ୍କ ପ୍ୟାଟେଣ୍ଟର ଅବଧି ସରିଗଲା ପରେ ତାଙ୍କରି ପ୍ରକାଶିତ କୌଶଳ ଅବଲମ୍ବନ କରି ପୃଥିବୀର ବହୁ ବିଖ୍ୟାତ ଶିଳ୍ପସଂସ୍ଥା ବିଭିନ୍ନ ବୈଷୟିକ ଉତ୍ପାଦନ ଚଳାଇ ଚାଲିଛନ୍ତି; ଅଥଚ ମିଶ୍ରଙ୍କ ବୌଦ୍ଧିକ ସମ୍ପତ୍ତିକୁ ଆଧାର କରି ସେମାନଙ୍କ ଉତ୍ପାଦନ ଚାଲିଛି – ଏହା ସେମାନେ କହୁନାହାନ୍ତି । 

Dr. Asoka Misra: The unacknowledged father of the era of controlled application of electricity ଶୀର୍ଷକ ଏକ ନିବନ୍ଧରେ ୬.୧୧.୨୦୦୭ରେ  ମୁଁ ଏହା ଲେଖିଛି ।  ବହୁ ବରେଣ୍ୟ ବିଜ୍ଞ ବ୍ୟକ୍ତି ଏହାକୁ ସମର୍ଥନ କରି ମିଶ୍ରଙ୍କ ପାଇଁ ବିଜ୍ଞାନକୁ ଏହି ଯୁଗାନ୍ତକାରୀ ଅବଦାନ ହେତୁ ନୋବେଲ ପୁରସ୍କାର ପ୍ରଦାନ ଆବଶ୍ୟକ ବୋଲି ମତ ରଖିଛନ୍ତି । 

ଦୁଃଖର କଥା ଆମ ରାଜ୍ୟ ଓଡ଼ିଶା ଏପରି ଜଣକ ହାତରେ ପଡ଼ିଛି ଯେ କି କେବଳ ନିଜ ବାପଙ୍କୁ ଜନମାନସରେ ଲଦିବା ଭିନ୍ନ ଓଡ଼ିଶାର କୌଣସି ଯୋଗ୍ୟ ବ୍ୟକ୍ତି କିପରି ହକ୍ ସ୍ବୀକୃତି ପାଇବେ, ତାହା ଚିନ୍ତା ବି କରନ୍ତିନି ! 

ଏପରି ଅବସ୍ଥାରେ ମୋର ନିବେଦନ, ଡଃ ମିଶ୍ରଙ୍କ ଜନ୍ମସ୍ଥାନ ଢେଙ୍କାନାଳରୁ ବୈଷୟିକ ବିଶ୍ଵକୁ ତାଙ୍କ ଯୁଗାନ୍ତକାରୀ ଅବଦାନର ଯଥୋଚିତ ସ୍ବୀକୃତି ପାଇଁ ସ୍ଵର ଊଠୁ ।  

 

ଧନତନ୍ତ୍ର କବଳରୁ ମୁକ୍ତି ପାଇଁ ବ୍ୟକ୍ତିଗତ ସମ୍ପତ୍ତିର ସୀମା ଜାରି ଆବଶ୍ୟକ : ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନ୍ଯୁଜ ସିଣ୍ଡିକେଟ
ଶାସନ ନାମରେ ଚାଲିଥିବା ଅସହ୍ୟ ଅପଶାସନର ଅନ୍ତ ବିଧାନ ପାଇଁ ଏକ ରାଜନୈତିକ ବିକଳ୍ପ ସନ୍ଧାନରେ ନବନିର୍ମାଣ କୃଷକ ସଂଗଠନ ଆୟୋଜନ କରିଥିବା ଚିନ୍ତନଚକ୍ରରେ ଗତ ୨୨ ତାରିଖରେ ଅନ୍ଯତମ ଚିନ୍ତାବ୍ୟକ୍ତକାରୀ ଥିଲେ ଭାଷା ଆଂଦୋଳନର ପ୍ରତିଷ୍ଠାତା, ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ।

ସମ୍ପ୍ରତି ପୁଞ୍ଜିବାଦ ବା ସମାଜବାଦ ପରି ରାଜନୈତିକ ଅର୍ଥନୀତି ନୁହେଁ, ପରନ୍ତୁ ପେଟପାଟଣାବାଦ ପରି ଏକ ଅଭୂତପୂର୍ବ ରାଜନୈତିକ ଅର୍ଥନୀତି ପ୍ରବର୍ତ୍ତିତ କରି କ୍ଷମତାସୀନ ବୈଷମ୍ୟବାଦୀମାନେ ଭାରତୀୟ ଗଣତନ୍ତ୍ରକୁ ଧନତନ୍ତ୍ରରେ ରୂପାନ୍ତରିତ କରିଛନ୍ତି ବୋଲି ଦର୍ଶାଇ ଏହା କବଳରୁ ମୁକ୍ତି ପାଇଁ ବ୍ୟକ୍ତିଗତ ସମ୍ପତ୍ତି ଉପରେ ସୀମା ଧାର୍ଯ୍ୟ ପାଇଁ ଯଦି ସ୍ଵର ଶାଣିତ ହୁଏ, ତାହା ହିଁ ଏକ ରାଜନୈତିକ ବିକଳ୍ପ ସୃଷ୍ଟିକରିପାରିବ ବୋଲି ସେ କହିଥିଲେ ।

ନିମ୍ନ ସରଣିରେ ତାଙ୍କ ଭାଷଣ ଉପଲଭ୍ୟ :

https://soundcloud.com/saubhasya/defeat-plutocracy

ଯଦି ସତ ବାହାରେ, ନବ ଦାସ ହୋଇପାରନ୍ତି ଓଡ଼ିଆ ଭାଷା ପାଇଁ ତୃତୀୟ ସହିଦ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସତ କି ମିଛ ମୋତେ ଜଣା ନାହିଁ । ରାଜ୍ୟ ସରକାର ସଘନ ତଦନ୍ତ ଦ୍ଵାରା ସତ ବାହାର କରିବା କଥା । ମାତ୍ର ତାହା ଏଯାଏଁ ହୋଇନାହିଁ । ମୋର ସନ୍ଦେହ, ଯଦି ସତ ବାହାରେ, ନିହତ ମନ୍ତ୍ରୀ ନବ ଦାସ ହୋଇପାରନ୍ତି ଓଡ଼ିଆ ଭାଷା ପାଇଁ ତୃତୀୟ ସହିଦ।

କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିବା ପୂର୍ବରୁ ନବ ଦାସ ଥିଲେ ଏକମାତ୍ର ବିଧାୟକ ଯେ କି ଓଡ଼ିଆ ଭାଷା ଓଡ଼ିଶାର କାର୍ଯ୍ୟାଳୟସମୁଦାୟର ଭାଷା ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ , ଉଭୟ ପ୍ରଶ୍ନ ଓ ବିତର୍କ ମାଧ୍ୟମରେ ।  ଭାଷା ଆଇନର କି ସଂଶୋଧନ ହେଲେ ତାହା କାର୍ଯ୍ୟକାରୀ ହୋଇପାରିବ, ତହିଁ ଉପରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ପ୍ରସ୍ତାବ ଓ ଚିଠା ପ୍ରଦାନ କରିଥିଲି ସେପ୍ଟେମ୍ବର ୩,୨୦୧୫ ତାରିଖରେ । ମନ୍ତ୍ରୀସ୍ତରୀୟ କମିଟି ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରି ଆଇନ ବିଭାଗକୁ ତୁରନ୍ତ ବିଧିରୂପ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲା ।  ଜି. ଭି. ଭି. ଶର୍ମା ନାମକ ଜଣେ ଅଣଓଡ଼ିଆ ଅଫିସରଙ୍କୁ ଲଗାଇ ମୁଖ୍ୟମନ୍ତ୍ରୀ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ୨୦.୧୧.୨୦୧୫ ତାରିଖର ନିର୍ଦ୍ଦେଶ ଅନୁସାରେ ଏହା ଆଇନ ବିଭାଗକୁ ଯାଇଥିଲା । ବିଧାନସଭାରେ ନବ ଦାସଙ୍କର ପ୍ରଶ୍ନର ଲିଖିତ ଉତ୍ତର ଦେଇ ୧୪.୧୨.୨୦୧୫ ତାରିଖରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରସ୍ତାବଟି ଆଇନ ବିଭାଗର କାର୍ଯ୍ୟାନୁଷ୍ଠାନ ପାଇଁ ଯାଇଛି । ନଥିଟି ସେଠୁ ଫେରିଲେ ତଦନୁଯାୟୀ ଆଇନ ସଂଶୋଧନ ହେବ ଓ ଓଡ଼ିଆରେ ସବୁ କାର୍ଯ୍ୟ ଚାଲିବ ।

ଏହାର ତିନି ଦିନ ପରେ ମୁଖ୍ୟମନ୍ତ୍ରୀ ଓଲଟିପଡ଼ିଲେ ଓ ମନ୍ତ୍ରୀସ୍ତରୀୟ କମିଟିକୁ ବସ୍ତୁତଃ ବିଲୁପ୍ତ କରିଦେବାକୁ ଚେଷ୍ଟା କଲେ (ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୧୭.୧୨.୨୦୧୫ ) । ତାଙ୍କ ତଞ୍ଚକତା କବଳରୁ ଭାଷା ଆଇନକୁ ରକ୍ଷା କରି ଓଡ଼ିଆ ଜାତିର ଭାଷା ଅଧିକାର ହାସଲ କରିବା ପାଇଁ ୧.୪.୨୦୧୬ ତାରିଖରେ ମୁଁ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲି ଓ ମୋ ପ୍ରସ୍ତାବର କାର୍ଯ୍ୟକାରିତା ଦାବିରେ ଏହି ଆନ୍ଦୋଳନର କଳାପତାକା ଅଭିଯାନ ୧୩.୪.୨୦୧୬ରୁ ଆରମ୍ଭ ହେଲା । ମୋ ପ୍ରସ୍ତାବ ଅନୁସାରେ ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ବାଧ୍ୟ ହେବା ପରେ ସଂଶୋଧନ ସତ୍ତ୍ୱେ ଆଇନକୁ ଅକର୍ମଣ୍ୟ କରି ଓଡ଼ିଆ ଭାଷାକୁ ମରଣମୁହଁକୁ ଠେଲି ନେବା ପାଇଁ ଯେତେ ଯେତେ ଷଡ଼ଯନ୍ତ୍ର କରିଛନ୍ତି ଓ ବିଧାନସଭାରେ ଜାଲିଆତି ବି ପ୍ରୟୋଗ କରିଛନ୍ତି ତାହାର ସମସ୍ତ ପ୍ରାମାଣିକ ତଥ୍ୟ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ ଶୀର୍ଷକ ମୋ ପୁସ୍ତକରେ ସ୍ଥାନିତ ହୋଇଛି । ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ (The Orissa Official Language Act, 1954)କୁ ଅକର୍ମଣ୍ୟ କରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଜାଲିଆତି ପ୍ରୟୋଗ କରିଛନ୍ତି ତାହାର ନିର୍ଦ୍ଦିଷ୍ଟ ବିବରଣୀ ସପ୍ରମାଣ ପ୍ରକାଶ ପାଇଛି ମୋ ବହି ‘ଭର୍ତ୍ସନୀୟ ବିଧାନସଭା’ରେ। ଏହି ବହି ପ୍ରକାଶ ପାଇବା ପରେ, ୧୪.୧୨.୨୦୧୫  ପରଠାରୁ ଭାଷା ପ୍ରସଙ୍ଗରେ ପ୍ରଶ୍ନ ତୋଳିବାକୁ ସୁଯୋଗ ପାଇନଥିବା, ବିଶେଷତଃ ବିଜେଡ଼ିରେ ଯୋଗଦେଇ ମୁହଁରେ ତୁଣ୍ଡିଦେଇ ବସିଥିବା ନବ ଦାସ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆଇନ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ପଚାରିଥିଲେ ଓ ରାଜ୍ୟ ମନ୍ତ୍ରୀମଣ୍ଡଳ ୧୪.୩.୨୦୧୮ ତାରିଖରେ ସର୍ବସମ୍ମତି କ୍ରମେ ଅନୁମୋଦିତ କରିଥିବା ବିଧେୟକ ବିଧାନସଭାରେ କିପରି ବଦଳି ଗଲା ବୋଲି ପଚାରିଥିଲେ । ଏହି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ ଗୁପ୍ତ ଚେହେରା ଉପରୁ ଘୋଡ଼ଣି  ଉଠାଇଦେବା ପରି ଥିଲା । ନବ ଦାସଙ୍କ ଠାରୁ ମୁଁ ଏତିକି ଶୁଣିଥିଲି । ଏହା ପରେ କ’ଣ ହେଲା, ମୋତେ ଜଣା ନାହିଁ ।

ହଠାତ୍ ଜଣାପଡ଼ିଲା, ନବ ଦାସ ବୁଲି ବୁଲି ଶନି ପୂଜା କରୁଛନ୍ତି ଓ  ମହାରାଷ୍ଟ୍ରର ଏକ ଶନି ମନ୍ଦିରକୁ ପ୍ରାୟ କୋଟିଏ ଟଙ୍କାର ସୁନା କଳସ ଓ ରୂପା ଅଳଙ୍କାର ଦେଇଛନ୍ତି । ସେ ଅର୍ଜିଥିବା ସମ୍ପତ୍ତିର ପ୍ରାୟ ଅର୍ଦ୍ଧାଂଶ ଥିଲା ଏହି ଦାନର ମୂଲ୍ୟ । ଯାହାଙ୍କଠାରୁ ତାଙ୍କ ଜୀବନ ପ୍ରତି ଭୟ ଥିଲା ସେ ନିଶ୍ଚୟ ଏତେ ଶକ୍ତିଶାଳୀ ଯେ, ନବଙ୍କ ପରି ବାହୁବଳୀ ମଧ୍ୟ ଭୟରେ ଶନିଙ୍କ ଶରଣାପନ୍ନ ହୋଇଥିଲେ ଓ ଅର୍ଜିତ ସମ୍ପତ୍ତିର ପ୍ରାୟ ଅର୍ଦ୍ଧାଂଶ ତାଙ୍କ ପ୍ରୀତ୍ୟର୍ଥେ ଦାନ କରିଦେଇଥିଲେ । ମୋର ଆଶଙ୍କା ଯେ, ସେ ନିଶ୍ଚୟ ତାଙ୍କ ପରମ ଶକ୍ତିଶାଳୀ ସମ୍ଭାବ୍ୟ ଘାତକଙ୍କ ସମ୍ପର୍କରେ କୌଣସି ତାନ୍ତ୍ରିକ ବା ଜ୍ଯୋତିଷ ସହ ଆଲୋଚନା କରିଥିବେ ଓ ତାଙ୍କ ପରମର୍ଶକ୍ରମେ ଏହି ବ୍ୟୟବହୁଳ ଶନିପୂଜା କରିଥିବେ । ସେହି ତାନ୍ତ୍ରିକ ବା ଜ୍ଯୋତିଷ କିଏ ତାହା ନିଶ୍ଚୟ ତାଙ୍କ ପରିବାରକୁ ଜଣା । ତେଣୁ ତାହାଙ୍କୁ ଜେରା କରି କାହା ଭୟରେ ସେ ଶନିପୂଜା କରିଥିଲେ ତାହା ପ୍ରଥମେ ଠାବ କରିବାକୁ ମୁଁ ମତ ରଖିଥିଲି ।  ଲିଙ୍କ୍ : https://orissamatters.com/2023/01/29/29012023/

ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନଗଦ ପ୍ରତିକ୍ରିୟା ଥିଲା ବଡ଼ କୌତୁହଳୋଦ୍ଦୀପକ । ମୁଁ ତାହାର ବିସ୍ତ୍ରୀର୍ଣ୍ଣ ଆଲୋଚନା କରି ସ୍ଵତନ୍ତ୍ର ତଦନ୍ତ ଦାବି କରିଥିଲି । ଲିଙ୍କ୍ : https://orissamatters.com/2023/02/10/10022023/

ମୁଖ୍ୟମନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ଯଦି କରିଥିବେ, ତାଙ୍କ ପ୍ରତିକ୍ରିୟା କ’ଣ ତାହା କାହାକୁ ଜଣାନାହିଁ । ଘଟିଥିବା ଅପରାଧ ମୂଳରେ ଥିବା ଆପରାଧିକ ଅଭିସନ୍ଧି ଠାବ କରିପାରିନି ପୋଲିସ । ଓଡ଼ିଆ ଭାଷାକୁ ଓଡ଼ିଶାର କାର୍ଯ୍ୟଭାଷା କରିବାକୁ ଆଇନ ପ୍ରଣୟନ ପାଇଁ ବିଧାନସଭା ସରକାରଙ୍କୁ ନିର୍ଦ୍ଦେଶ ଦେଉ ବୋଲି ପ୍ରଥମେ ପ୍ରସ୍ତାବ ରଖିଥିବା ଓ  ଆଇନ ପ୍ରଣିତ ହେବା ପରେ ତାହାକୁ ଅବିଳମ୍ବେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ  ଦାବି କରିଥିବା  ସମ୍ବଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଚଳନ୍ତା ରେଳଗାଡ଼ିରେ ହତ୍ୟା କରାଯାଇଥିଲା । ବିଜୁବାବୁଙ୍କ ସରକାର ତଦନ୍ତ କରି ହତ୍ୟାକାରୀକୁ ଦଣ୍ଡିତ କରିବା କଥା । ତାହା ହେଲାନାହିଁ ।  ସେ ଯଦି ଭାଷା ପାଇଁ ଓଡ଼ିଶାର ପ୍ରଥମ ସହିଦ, ପରବର୍ତ୍ତୀ ସହିଦ ହେଉଛନ୍ତି କେନ୍ଦ୍ରାପଡ଼ାର ରଞ୍ଜନ କୁମାର ଦାସ । ମୋର କେତେଜଣ ସହକର୍ମୀଙ୍କ ଅର୍ଥଲିପ୍ସା ଚରିତାର୍ଥ କରି ସେମାନଙ୍କ ଦ୍ଵାରା ଭାଷା ଆନ୍ଦୋଳନ ବନ୍ଦ ହୋଇଗଲା ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ପ୍ରଚାର କରିଥିଲେ ତାହା ଉପରୁ ପର୍ଦ୍ଦା ଖୋଲି ଦେଇଥିଲେ ରଞ୍ଜନ ଓ ତାଙ୍କ ସାଥିମାନେ କଳାପତାକା ସହ ଚାଲି ଚାଲି ଆସି ମଧୁବାବୁଙ୍କ ଜନ୍ମସ୍ଥାନରୁ ଅଧିବେଶନରତ ଓଡ଼ିଶା ବିଧାନସଭା ପର୍ଯ୍ୟନ୍ତ । ସାରା ଓଡ଼ିଶା କଳାପତାକା ସହ ସାଇକ୍ଲରେ ବୁଲି ଭାଷା ଆଂଦୋଳନର ବାର୍ତ୍ତା ଦେବା ପାଇଁ ସେ ଘୋଷଣା କଳା ପରେ, ବାହାରିବାକୁ ଥିବାର ତିନି ଦିନ ପୂର୍ବରୁ ୩୧.୧.୨୦୨୦ ରାତ୍ରିରେ ତାଙ୍କୁ ହତ୍ୟା କରାଗଲା, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପୋଲିସ ସେ ସମ୍ପର୍କରେ ତଦନ୍ତ ବି କଲା  ନାହିଁ ! ତାଙ୍କୁ ଆମେ ଭାଷା ପାଇଁ ୨ୟ ସହିଦ ବୋଲି ଗ୍ରହଣ କରିଛୁ । ଲିଙ୍କ୍ : https://orissamatters.com/2020/05/12/1252020/

ନବ ଦାସଙ୍କ ହତ୍ୟାର ରହସ୍ୟ ଯଦି ଉନ୍ମୋଚିତ  ନହୁଏ, ତାଙ୍କୁ ଆମେ ଭାଷା ପାଇଁ ଓଡ଼ିଶାର ୩ୟ ସହିଦ ବୋଲି ମାନିନେବୁ ।  ଯଦି ସତ ବାହାରେ, ସେ ହୋଇପାରନ୍ତି ଓଡ଼ିଆ ଭାଷା ପାଇଁ ଓଡ଼ିଶାର ତୃତୀୟ ସହିଦ ।